ପୁଣି ଦିଲ୍ଲୀରେ ନିର୍ଭୟା ଭଳି କାଣ୍ଡ, ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ନୂଆଦିଲ୍ଲୀ : ପୁଣି ରାଜଧାନୀ ଦିଲ୍ଲୀରେ ନିର୍ଭୟା ଭଳି କାଣ୍ଡ । ଦିଲ୍ଲୀର ରାନୀ ବାଗ୍ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ୍ ମଧ୍ୟରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଘରୋଇ ବସକୁ ଜବତ କରିଛି । ପୀଡିତାଙ୍କ ମୁତାବକ, ଡ୍ରାଇଭର ଏବଂ ହେଲପର ବସରେ ଘୋଷାଡି ଗଣଦୁଷ୍କର୍ମ କରିବା ପରେ ବାହାରକୁ ଫୋପାଡି ଦେଇଥିଲେ ।

ସୂଚନା ଅନୁଯାୟୀ, ଗତ ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ମହିଳାଙ୍କୁ ଜବରଦସ୍ତି ଏକ ଘରୋଇ ସ୍ଲିପର ବସରେ ବସାଇ ଦେଇଥିଲେ । ଏହାପରେ ବସ୍ ଚାଲୁଥିବା ଅବସ୍ଥାରେ ଦୁଇ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ମହିଳା ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମଧ୍ୟ ପିଶାଚମାନଙ୍କ ମନ ତରଳି ନଥିଲା । ମହିଳା ଜଣକ ବିବାହିତ ଏବଂ ୩ଟି ପିଲାର ମା ।

ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତମାନେ ତାଙ୍କୁ ବସରେ ବସାଇ ବିଭିନ୍ନ ଅଞ୍ଚଳରେ ବୁଲାଇଥିଲେ । ବସଟି ନାଙ୍ଗଲୋଇ ଅଞ୍ଚଳ ଦେଇ ଯାଉଥିବା ସମୟରେ ମହିଳା ଜଣକ ବଞ୍ଚିବା ପାଇଁ ଚିତ୍କାର କରିଥିଲେ । ମାତ୍ର ଅଭିଯୁକ୍ତମାନେ ତାଙ୍କ କଥା ନଶୁଣି ମାଡ଼ ମାରିଥିଲେ । ପ୍ରାୟ ଦୁଇ ଘଣ୍ଟା ପରେ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଡାକ୍ତରୀ ପରୀକ୍ଷାରୁ ଦୁଷ୍କର୍ମ ହୋଇଥିବା ଜଣାପଡିଥିଲା । ମହିଳାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଦିଲ୍ଲୀ ପୋଲିସ ତୁରନ୍ତ ମାମଲା ରୁଜୁ କରିଥିଲା । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ବର୍ତ୍ତମାନ ସମ୍ପୃକ୍ତ ସ୍ଲିପର ବସ୍କୁ ଜବତ କରିଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ପୋଲିସ ଓ ଫରେନସିକ୍ ଟିମ୍ ଜବତ ବସର ଯାଞ୍ଚ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *