ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟସହନଶୀଳତା । ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିତ୍ତରଂଜନ ପିଲ୍ଲା ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ।
ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଥିବାବେଳେ ତାଙ୍କର ଅନେକ ନିଷ୍ପତ୍ତିରେ ଅନିୟମିତତାର ତଥ୍ୟ ଆସିଥିଲା । ତାଙ୍କର ଜମିଜମା ସମ୍ପର୍କିତ ଅନେକ ନିଷ୍ପତ୍ତି ସମ୍ବନ୍ଧରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତଦନ୍ତ କରାଯାଇଛି । ଏହି ତଦନ୍ତରୁ ବିଭିନ୍ନ ଅନିୟମିତତା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଧିକାରୀ ଚିତ୍ତରଞ୍ଜନ ପିଲ୍ଲାଙ୍କୁ ସରକାରୀ ସେବାରୁ ବରଖାସ୍ତ କରିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି । କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହି ଆସିଛନ୍ତି ।
