ସ୍ତ୍ରୀ ଚାକିରି କରି ଘରେ, ସ୍ୱାମୀ ଜଗୁଛି ସ୍ୱାସ୍ଥ୍ୟକେନ୍ଦ୍ର
ପଦ୍ମପୁର : ସ୍ୱାସ୍ଥ୍ଯସେବାର ବିକଳ ଚିତ୍ର । ସ୍ତ୍ରୀ ଚାକିରି କରି ଘରେ । ସ୍ୱାମୀ ଜଗୁଛି ସ୍ୱାସ୍ଥ୍ୟକେନ୍ଦ୍ର । ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡର ଜମଲା ସିଏଚସି ଅଧୀନରେ ସର୍ଗିବାହାଲ ଗାଁରେ ଅଛି ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ର । ସେଠାରେ ନିଯୁକ୍ତି ପାଇଥିବା ସିଏଚଓ ସୁରଙ୍ଗିନୀ ସୁନା ଦିନେ ହେଲେ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉ ନାହାନ୍ତି । ତାଙ୍କ ସ୍ଥାନରେ ତାଙ୍କ ସ୍ୱାମୀ ଅଫିସ ଖୋଲି ବସୁଛନ୍ତି । ସରକାରଙ୍କ ବିନା ଅନୁମତିରେ କିଭଳି ସୁରଙ୍ଗିନୀଙ୍କ ସ୍ୱାମୀ ରୋଗୀ ପରୀକ୍ଷା କରିବେ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।
ସୁରଙ୍ଗିନୀଙ୍କ ସ୍ୱାମୀ ଘଣ୍ଟେ ଦୁଇଘଣ୍ଟା ବସି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ପଳାଉନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେଣେ ଜମଲା ସିଏଚସି ଅଧିକାରୀ ଡାକ୍ତର ମୀନକେତନ ବେହେରା ଏ ବିଷୟ ଅବଗତ ନ ଥିବା କହିଛନ୍ତି । ଯଦି ଏଭଳି ହେଉଛି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡାକ୍ତର ବେହେରା କହିଛନ୍ତି। ତେବେ ନିରୀହ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସହ ଏଭଳି ଖେଳ ଖେଳିବା କେତେ ଦୂର ଠିକ ଏବଂ ପ୍ରଶାସନ ଏଥି ପ୍ରତି କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।
