ରାଜଧାନୀରେ ଡେଲିଭେରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ଡେଲିଭେରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଅଞ୍ଚଳ ଜାଗମରା ଗଣ୍ଡମୁଣ୍ଡା ରାସ୍ତାରେ ଡେଲିଭେରୀ ବୟଙ୍କ ଉପରେ ମରଣାନ୍ତକ ଓ ସଂଘବଦ୍ଧ ଆକ୍ରମଣ । ଡେଲିଭେରୀ ସାରି ଷ୍ଟୋରକୁ ଫେରୁଥିବା ବେଳେ ତାପସ ବେହେରା ନାମକ ଯୁବକଙ୍କୁ ପଛପଟୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ ହୋଇଥିବା ଆହତ ଯୁବକ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଦୁଇଦିନ ତଳେ, ରାଜଧାନୀରେ ବୁଲିଥିଲା ଖଣ୍ଡା । ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ଅଞ୍ଚଳ ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରୁତର ଯୁବକ ହେଲେ ଡି. ହରିକୃଷ୍ଣ । ଦୁର୍ବୃତ୍ତମାନେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ଜୋରଦାର କରିଥିଲା । ଫେରାର ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଥିଲା ।
