ଭଞ୍ଜ କଳାମଣ୍ଡପକୁ ଚମକାଇଲା ନୃତ୍ୟାଂଶର ପ୍ରଥମ ବାର୍ଷିକ ଉତ୍ସଵ ‘ନୃତ୍ୟାନୁଭବ’

ନୃତ୍ୟଗୁରୁ ଅନିକେତ ପଲ୍ଲଭ ନାୟକଙ୍କ ନୃତ୍ୟାନୁଷ୍ଠାନ ‘ନୃତ୍ୟାଂଶ’ର ପ୍ରଥମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମର ନାଁ ରଖାଯାଇଥିଲା ‘ନୃତ୍ୟାନୁଭବ’, ଅର୍ଥାତ ଯେଉଁଠି ନୃତ୍ୟ ଏକ ଅନନ୍ୟ ଅନୁଭବରେ ପରିଣତ ହୁଏ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ସୂଚୀସ୍ମିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ‘ନୃତ୍ୟାଂଶ’ର ପ୍ରତିଷ୍ଠାତା ଅନିକେତ ପଲ୍ଲଭ ଦାସଙ୍କ ସୋଲୋ ପରଫରମାନ୍ସରୁ ଆରମ୍ଭ ହୋଇଥିଲା ପ୍ରଥମ ଦିନର ସାଂସ୍କୃତିକ ସଂଧ୍ୟା । ପରେ ପରେ ଶ୍ରୀପୂଣ୍ୟ ମହାନ୍ତି, ସୂଚୀସ୍ମିତା ସାହୁ ଓ ତନୁଜା ପଣ୍ଡା ଏବଂ ଶେଷରେ ସୌରଭ ମହାନ୍ତି ଓ ରୋହିଣୀ ସାମଲଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ ଚିତ୍ତାକର୍ଷକ ହୋଇଥିଲା ।

ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମାହନ୍ତିଙ୍କ ଉପସ୍ଥିତି ଓଡ଼ିଶୀ ନୃତ୍ୟ ପରିବେଷଣର ଏହି ସାଂସ୍କୃତିକ ସଂଧ୍ୟାକୁ ଆହୁରି ଆକର୍ଷଣୀୟ କରିଥିଲା । ନୁପୂର ପ୍ରତିଷ୍ଠାତା ନୃତ୍ୟାଚାର୍ଯ୍ୟ ଗୁରୁ ନିରଞ୍ଜନ ରାଉତ, ପ୍ରତିଷ୍ଠିତ ମର୍ଦ୍ଦଳ ଗୁରୁ ଧନେଶ୍ବର ସ୍ବାଇଁ ଏବଂ ନୃତ୍ୟ ନୈବେଦ୍ୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁ ପ୍ରଭାତ କୁମାର ସ୍ବାଇଁ ପ୍ରମୁଖ୍ୟ କାର୍ଯ୍ୟକ୍ରମର ପ୍ରଥମ ସଂଧ୍ୟାରେ ଅତିଥି ଭାବେ ସାମିଲ ହୋଇଥିଲେ ।

ମଙ୍ଗଳବାର ଦ୍ବିତୀୟ ସଂଧ୍ୟାରେ ମଧ୍ୟ ନୃତ୍ୟାନୁଷ୍ଠାନର କଳାକାରମାନେ ଏକାଧିକ ନୃତ୍ୟ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ବକ୍ରତୁଣ୍ଡ ମହାକାୟ, ଶ୍ରୀରାମ ସ୍ତୁତି ଏବଂ ଵୃନ୍ଦାବନେ କିଏ ବଂଶୀ ବଜାଇଲା ଭଳି ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି । ଅନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ଓଡ଼ିଶୀର ସ୍ଥାୟୀ ଓ ଅଭିନୟ ସମେତ ପଲ୍ଲୀ ନୃତ୍ୟ ଓ ସମ୍ବଲପୁରୀ ଗୀତରେ ନୃତ୍ୟ ପରିବେଷଣ କରିବେ । ପ୍ରଥମ ଦିନରେ ଦର୍ଶକ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *