ଜ୍ଵର ମେଡିସିନ୍ ଖାଇ ଝିଅ ମୃତ, ଏକ୍ସପାରୀ ମେଡିସିନ୍ ଅଭିଯୋଗ ଆଣିଲେ ପରିବାର
ବାଂଶପାଳ : ଏକ୍ସପାରୀ ମେଡିସିନ୍ ଖାଇ ଆଶାକର୍ମୀଙ୍କ ଝିଅ ମୃତ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ ହୀରାମଣି ନାଏକଙ୍କ ମୃତ୍ୟୁ ଅଭିଯୋଗ । ସିଂପୁର ANM ସେଣ୍ଟରରେ ଏକ୍ସପାରୀ ଔଷଧ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଗତ ଗୁରୁବାର ସନ୍ଧ୍ୟାରେ ଆଶାକର୍ମୀଙ୍କ ଝିଅ ହୀରାମଣୀ ଏବଂ ୧୩ ବର୍ଷୀୟ ପୁଅ ଗଗନଙ୍କୁ ଜ୍ଵର ହୋଇଥିଲା ।
ଆଶାକର୍ମୀ ଶ୍ରୀଦେବୀ ସିଂପୁର ANM ସେଣ୍ଟରରୁ ଔଷଧ ଆଣି ଉଭୟଙ୍କୁ ଦେଇଥିଲେ। ଏହି ମେଡିସିନର ୨ଟି ଡୋଜ୍ ଉଭୟଙ୍କୁ ଦେବା ପରେ ସେମାନେ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ପୁଅ ଓ ଝିଅଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଝିଅ ହୀରାମଣିଙ୍କର ମୃତ୍ୟୁ ହୋଇଛି ।
ତେବେ ଏନେଇ ସଂପୃକ୍ତ ଏଏନଏମ ସେଣ୍ଟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ହେଲେ ବାଂଶପାଳ ମେଡିକାଲ ଅଫିସର ଡାକ୍ତର ବିଶ୍ୱଜିତ ନାଏକ କହିଛନ୍ତି, ସମ୍ପୃକ୍ତ ANM ଙ୍କୁ ଏ ବାବଦରେ କୈଫୟତ ତଲବ କରାଯାଇଛି । ANMଙ୍କ କହିବାନୁଯାୟୀ, ବ୍ଲକରେ କୌଣସି ଏକ୍ସପାରୀ ମେଡ଼ିସିନ ରଖାଯାଇ ନାହିଁ । ଯଦି କେଉଁଠି ଏଭଳି ମେଡ଼ିସିନ ରଖା ଯାଇଛି ସେ ସମ୍ପର୍କରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
