ଶୋଇବା ଘରେ ବିଷଧର ସାପ ସାଲୁବାଲୁ, ଉଦ୍ଧାର ହେଲା ୨୩ ନାଗ ଛୁଆ
ଯାଜପୁର: ବେଡ୍ ରୁମ୍ ଭିତରେ ୨୩ ନାଗ ଛୁଆ । ଯାଜପୁର ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ଚନ୍ଦୁକୁଡା ଗାଁରୁ ୨୩ ନାଗ ଛୁଆ ଉଦ୍ଧାର ହୋଇଛି । ଗୌରାଙ୍ଗ ଜେନାଙ୍କ ବେଡ୍ ରୁମ୍ ରୁ ୨୩ଟି ନାଗଛୁଆ ଉଦ୍ଧାର ହୋଇଛି । ସୋମବାର ରାତିରେ ଗୌରାଙ୍ଗ ଜେନା ତାଙ୍କ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖି ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଛୋଟ ସାପ ହୋଇଥିଲେ ମଧ୍ୟ ଏହା ଫଣା ଟେକି ଚୋଟ ମାରିବାକୁ ଉଦ୍ୟମ କରିଥିଲା ।
ପରେ ସ୍ନେକ ହେଲପ୍ ଲାଇନକୁ ଖବର ଦେଇଥିଲେ ପରିବାର ଲୋକ । ତାଙ୍କ ସହଯୋଗୀ ଜାହାଙ୍ଗୀର ଖାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମାଟିଘରର ସମ୍ପୂର୍ଣ୍ଣ ଚଟାଣ ଖୋଳି ଖୋଜାଖୋଜି କରିବା ପରେ ୨୩ଟି ନାଗଛୁଆ ଉଦ୍ଧାର କରାଯାଇଥିଲା । ଏଥିସହ କିଛି ସାପ ଅଣ୍ଡାର ଖୋଳପା ମଧ୍ୟ ଉଦ୍ଧାର ହୋଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ନାଗଛୁଆଙ୍କୁ ସୁରକ୍ଷିତ ଭାବେ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି । ବିଶେଷ କରି ବର୍ଷାଦିନରେ ଖଟିଆ ଉପରେ ମଶାରୀ ଟାଙ୍ଗି ଶୋଇବା ସହିତ ଘର ଓ ଘର ଚାରିପାଖର ପରିବେଶ ସଫା-ସୁତରା ରଖିବା ଦରକାର ।
