୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର, ୪ ଅଭିଯୁକ୍ତଙ୍କୁ ଗିରଫ
ଭୁବନେଶ୍ୱର : ୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର। ଫିଲ୍ମ ଷ୍ଟାଇଲରେ ଅପରେଟ୍ ହେଉଥିଲା ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ। ଦୀର୍ଘଦିନର ଗୁଇନ୍ଦା ସୂଚନା ଓ ଟ୍ରାକିଂ ପରେ ସିଣ୍ଡିକେଟର ମୁଖ୍ୟ ଚେରକୁ ମାଡ଼ି ବସିଛି STF । ବୌଦ୍ଧ ଅଞ୍ଚଳର ୪ ଅଭିଯୁକ୍ତଙ୍କୁ ଗିରଫ ପରେ ଏହି ବଡ଼ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଗିରଫ ଅଭିଯୁକ୍ତମାନେ ହେଲେ ଦୁବାଶ ସାହୁ, ସୁବୁଦ୍ଧି ସାହୁ, ପ୍ରକାଶ ଖଟୁଆ ଓ ଅରୁଣ କୁମାର ରଣା ।
ଦୁବାଶ ଓ ସୁବୁଦ୍ଧିଙ୍କୁ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ବୋଲି STF କହିଛି। ତଦନ୍ତରୁ ଜଣାପଡ଼ିଛି , ଚାଲାଣ ସମୟରେ ପରିଚୟ ଚିହ୍ନ ଭାବେ ୧୦ ଟଙ୍କିଆ ନୋଟର ଅଧା ଅଂଶ ବ୍ୟବହାର କରାଯାଉଥିଲା । ଗଞ୍ଜେଇ ଯୋଗାଣକାରୀ ଓ କ୍ରେତାଙ୍କ ମଧ୍ୟରେ ଏହି ନୋଟ ଥିଲା ଗୁପ୍ତ ସଙ୍କେତ । ଏଭଳି ଉପାୟରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିଲା । ଅଭିଯୁକ୍ତଙ୍କ ଠାରୁ ଏକ ମାରୁତି କାର, ମୋବାଇଲ ଫୋନ, ସୁନା ଚେନ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଦୁବାଶ ଓ ସୁବୁଦ୍ଧି ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଛି ।
୨୦୧୫ ମସିହାରେ ମଧ୍ୟ STF ହାତରେ ସେମାନେ ଧରାପଡ଼ିଥିଲେ । ଗତ ଦୁଇ ବର୍ଷ ଧରି ରାଜ୍ୟରେ ଗଞ୍ଜେଇ ବିରୋଧୀ ଅପରେସନ ଜୋରଦାର ହୋଇଥିବା ବେଳେ ଏ ବର୍ଷ ୧ ଲକ୍ଷ ୭୭ ହଜାର କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । କନ୍ଧମାଳ ଓ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳରେ ଚଢ଼ାଉ ଜାରି ରହିଛି । ସିଣ୍ଡିକେଟର କିଙ୍ଗପିନ୍ କୁ ଧରିବା ପାଇଁ STF ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତଙ୍କଠାରୁ ମିଳୁଥିବା ସୂଚନା ଆଧାରରେ ସମଗ୍ର ଚେନ୍ କୁ ଧ୍ୱଂସ କରିବାକୁ ପ୍ରୟାସ ଚାଲିଛି ।
