ଝରାଫୁଲ ଦୋଷୀଙ୍କୁ ଆଜୀବନ, ସହଯୋଗୀଙ୍କୁ ୫ ବର୍ଷ ଜେଲଦଣ୍ଡ
ଯାଜପୁର ଟାଉନ: ବହୁ ଚର୍ଚ୍ଚିତ ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ଆସିଲା ରାୟ । ମୁଖ୍ୟ ଦୋଷୀ ରାକେଶ କୁମାର ସ୍ବାଇଁଙ୍କୁ ଆଜୀବନ କାରାଦଣ୍ଡାଦେଶ । ସହଯୋଗୀଙ୍କୁ ୫ ବର୍ଷ ଜେଲଦଣ୍ଡ । ରାୟ ଶୁଣାଇଛନ୍ତି ଅତିରିକ୍ତ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଝରାଫୁଲଙ୍କୁ ଭବନେଶ୍ୱର ହୋଟେଲ ରୁମରେ ହତ୍ୟା କରି ଯାଜପୁରରେ ମୃତଦେହ ଫିଙ୍ଗା ଘଟଣାରେ ମୁଖ୍ୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶର ରାୟ ଆସିଛି । ଘଟଣାର ମୁଖ୍ୟ ଦୋଷୀ ହେଲେ ଭୁବନେଶ୍ବର ଏଆରଫିଲଡ଼ ଥାନା ସୁନ୍ଦରପଦା ଅଞ୍ଚଳର ରାକେଶ କୁମାର ସ୍ବାଇଁ । ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ଭୁବନେଶ୍ୱର ଶିବ ସାଇ ହୋଟେଲ ରୁମରେ ତାଙ୍କ ମହିଳା ବନ୍ଧୁଙ୍କୁ ହତ୍ୟାକରି ସ୍କୁଟିରେ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ମୂଳାପାଳ ନିକଟରେ ରାସ୍ତାକଡ଼ରେ ମୃତଦେହକୁ ପୋତି ଥିଲେ । ଏ ନେଇ କୁଆଖିଆ ଥାନାରେ ଝରାଫୁଲଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତ୍ତି କରି ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି ହୋଇଥିଲା । ୨୨ ଜଣଙ୍କ ସାକ୍ଷ ପ୍ରମାଣ ଓ ୩୬ ଗୋଟି ଦସ୍ତାବିଜକୁ ଆଧାର କରି ଦୋଷୀଙ୍କୁ ଆଇପିସର ଦଫା ୩୦୨ ଅନୁସାରେ ଆଜୀବନ କାରାଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦୟ ହେଲେ ୧୨ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁଙ୍କ ବିରୋଧରେ କୋୖଣସି ପ୍ରମାଣ ନ ମିଳିବାରୁ ନିର୍ଦୋଷରେ ଖଲାସ ହୋଇଛନ୍ତି । ଏଥି ସହ ସହଯୋଗୀ ଅମରେଶ ରାଉତଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ୫ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ୩ ବର୍ଷ ଅଧିକ ଜେଲ ପାଇଁ ରାୟ ଶୁଣାଣି କରିଛନ୍ତି । ମାମଲାକୁ ସରକାରୀ ଓକିଲ ସିତାଂଶୁ ଶେଖର ମହାନ୍ତି ଓ ଅତିରିକ୍ତ ସରକାରୀ କ୍ୟାଡର ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଛନ୍ତି । ରାୟ ଆସିବା ପରେ କୋର୍ଟ, ପୋଲିସ ପ୍ରଶାସନ ଓ ସରକାରୀ ଓକିଲଙ୍କୁ ମୃତ ଝରାଫୁଲଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି ।
