ବିପୁଳ ପରିମାଣର ଦେଶୀମଦ ଜବତ, ଦୁଇଟି କାର ସହ ୪ ଗିରଫ
ବାରଙ୍ଗ : ବିପୁଳ ପରିମାଣର ଦେଶୀମଦ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ପଟିଆ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ । ୧୪୧୦ ଲିଟର ଦେଶୀମଦ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ୪ ଜଣଙ୍କୁ ଗିରଫ କରିବା ସହ ଦୁଇଟି କାର ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି । ଏନେଇ ୪ ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି ।
ପଟିଆ ମୁଖ୍ୟ ରାସ୍ତା, ଶିଖରଚଣ୍ଡୀ ଛକ, ଶିଖରଚଣ୍ଡୀ ମୁଖ୍ୟ ରାସ୍ତା ଏବଂ ଜଳିସାହି ବସ୍ତି ଅଞ୍ଚଳରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ସମସ୍ତ ଅଞ୍ଚଳ ଇନଫୋସିଟି ଥାନା ଅଧୀନରେ ରହିଛି । ଅବକାରୀ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣର ଦେଶୀମଦ ଜବତ କରି ତଦନ୍ତ ଚଳାଇଛି । ଏହି ଚଢାଉରେ ଅବକାରୀ ମୋବାଇଲ ୟୁନିଟର ଆଇଓ କୃଷ୍ଣଚନ୍ଦ୍ର ପରିଡ଼ା, ସବ୍ ଇନ୍ସପେକ୍ଟର ପଦ୍ମଲୋଚନ କର ଏବଂ ଟୁକୁନା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।
