ସିପିଆର ତାଲିମ ନେଲେ ବିଏମ୍ ସି କର୍ମଚାରୀ
ଭୁବନେଶ୍ୱର;ତା 21-072026 ରିଖ:ଆଜି ହେଉଛି ଇଣ୍ଡିଆନ ଏକେଡେମୀ ଅଫ୍ ପେଡିଆଟ୍ରିକ(ଆଇଏପି) ସିପିଆର ଡେ-2026 । ସିପିଆର୍ (Cardiopulmonary Resuscitation) ବା କୃତ୍ରିମ ଶ୍ୱାସକ୍ରିୟା ଦ୍ୱାରା ଜରୁରୀ କାଳୀନ ଜୀବନ ରକ୍ଷାର ଜନକ ସ୍ୱର୍ଗତ ଡାକ୍ତର ଆନନ୍ଦ ଶ୍ୟାଣ୍ଡିଲ୍ୟଙ୍କ ଜନ୍ମ ଦିବସରେ ଆଇଏପି, ସିପିଆର ଦିବସ ଭାବେ ପାଳନ କରିଆସୁଛି । ଏହି ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)କର୍ମଚାରୀ, ମୁଖ୍ୟତଃ କ୍ଷେତ୍ର ଉପରେ ସକାଳୁ ସଂଧ୍ୟା ଯାଏ କାର୍ଯ୍ୟକରୁଥିବା ପରିମଳ ନିରୀକ୍ଷକମାନଙ୍କୁ ସିପିଆର ସଂପର୍କରେ ତାଲିମ ଦିଆଯାଇଥିଲା । କୌଣସି ବ୍ୟକ୍ତିର ହାର୍ଟ ଆଟାକ ହେଲେ, ତୁରନ୍ତ କିପରି ତାଙ୍କର ଜୀବନ ରକ୍ଷା କରାଯାଇ ପାରିବ, ତାର କୌଶଳ ଶିଖାଇଥିଲେ ବରିଷ୍ଠ ଡାକ୍ତରମାନେ । ଏହି ଉପଲକ୍ଷେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ବରିଷ୍ଠ ଡାକ୍ତର ଶ୍ରୀ ଆର୍ତ୍ତବନ୍ଧୁ ନାୟକ, ପୂର୍ବତନ ସିଡିଏମ୍ ଓ ତଥା ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ଦାଶ, ଆଇଏମ୍ଏସର ଆସୋସିଏଟ୍ ପ୍ରଫେସର ଶ୍ରୀମତୀ ଇଶା ପଣ୍ଡା, ଆସିଷ୍ଟାଣ୍ଡ ପ୍ରଫେସର ଶ୍ରୀ ଶୁଭମ୍ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ ।
କୌଣସି ଲୋକର ହାର୍ଟ ବିଟ୍ ବନ୍ଦ ହୋଇଗଲେ ସେ ଟଳିପଡେ । ସେ କ୍ଷେତ୍ରରେ ସଂଗେ ସଂଗେ ତାକୁ ଡାକିବା, ତାଙ୍କର ଶ୍ୱାସକ୍ରିୟା ଚାଲୁଛି କି ନାହିଁ, ନାଡି ଠିକ୍ ଭାବେ ଚାଲୁଛି କି ନାହିଁ ପରୀକ୍ଷା କରିବା ଦରକାର । ଯଦି କିଛି ଚାଲୁ ନଥାଏ, ତେବେ ସଂଗେ ସଂଗେ ତାଙ୍କ ଛାତିକୁ ଜୋରରେ ଦବାଇବା ଦରକାର । ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ନ ପହଞ୍ଚିବା ପର୍ଯ୍ୟନ୍ତ ସେହି ପରି ଛାତିକୁ ଦବାଇବା ଜାରି ରଖିବା ଆବଶ୍ୟକ । ତେବେ ହାତ ଉପରେ ହାତକୁ କିପରି ରଖି ନେଡିରେ କିପରି ଛାତିକୁ ଦବାଇବ, ସେ ସଂପର୍କରେ ମଧ୍ୟ ଜଣ ଜଣ କରି ତାଲିମ ଦେଇଥିଲେ । 18 ସେକେଣ୍ଡ ମଧ୍ୟରେ 30 ଥର ଛାତିକୁ ଦବାଇବା ପରେ ନାକକୁ ଚିପି ଧରି ତାଙ୍କ ପାଟିକୁ ଦୁଇଥର ଜୋରରେ ଫୁଙ୍କିବା ଦରକାର । ଏହିପରି ବାରମ୍ବାର କରିବା ଦ୍ୱାରା ଯଦି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ କିମ୍ବା ଆମ୍ବୁଲାନ୍ସ ଆସିବା ଭିତରେ ତାଙ୍କର ଶ୍ୱାସକ୍ରିୟା ଚାଲିଆସେ, ତେବେ ଆଉ ଛାତିକୁ ନ ଦାବି, ତାଙ୍କୁ କରମାଡି ଶୁଆଇ ଦେବା ଦରକାର । ଏପରି କଲେ ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ରୋଗୀ ବଂଚି ପାରିବ ଏବଂ ସେ ପୂନଃଜନ୍ମ ପାଇବ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି । ଏହି ପ୍ରକ୍ରିୟା ପ୍ରତ୍ୟେକ ବ୍ୟକ୍ତି ଜାଣିବା ଦରକାର ଏବଂ ଆବଶ୍ୟକ ସ୍ଥଳେ ତାହାକୁ ତୁରନ୍ତ କାର୍ଯ୍ୟରେ ଲଗାଇବା ଦରକାର । ସେହିପରି ଛୋଟ ପିଲା ଏବଂ ନବଜାତ ଶିଶୁକୁ କିପରି ପମ୍ପିଂ କରାଯିବ, ତାର କୌଶଳ ମଧ୍ୟ ବତାଇଥିଲେ । ଆଇଏପି ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ତାଲିମ ଦେବା ସହ ଲୋକମାନଙ୍କୁ ସଚେତନ କରାଯାଉଛି । ଯେହେତୁ ସାନିଟାରୀ ଇନ୍ସପେକ୍ଟରମାନେ ଦୈନଦିନ ଜନସାଧାରଣଙ୍କ ସହ ମିଶୁଛନ୍ତି, ତେଣୁ ସେମାନେ ଏହି ଉପାୟଟି ଜାଣିବା ନିହାତି ଦରକାର ଏବଂ ଅନେକ ସମୟରେ ଏହା ବହୁତ କାମରେ ଆସିବ ଓ ଅନ୍ୟର ଜୀବନ ରକ୍ଷାରେ ସହାୟକ ହେବ । ସିପିଆର ଉପଚାର ସଂପର୍କରେ ତାଲିମ ନେଉଥିବା ସମସ୍ତ ପରିମଳ ନିରୀକ୍ଷକ ଏବଂ ବିଏମ୍ ସି କର୍ମଚାରୀମାନେ ଯଦି ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ଜୀବନ ରକ୍ଷା କରିପାରିଲେ, ତେବେ ଏହି ତାଲିମ ଶତପ୍ରତିଶତ ସଫଳ ହେଲା ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ । କେବଳ ନିଜେ ଶିକ୍ଷା ଲାଭ କରି ରହିଗଲେ ହେବ ନାହିଁ । ହାର୍ଟ ଷ୍ଟ୍ରୋକ୍ କାହାକୁ କେତେବେଳେ ଏବଂ କେଉଁଠାରେ ହେବ, କେହି କହିପାରିବେ ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ସଦସ୍ୟ, ସଦସ୍ୟାଙ୍କୁ ଏ ସଂପର୍କରେ ତାଲିମ ଦେବା ଆବଶ୍ୟକ ବୋଲି କହିଛନ୍ତି କମିଶନର ଶ୍ରୀ ରାଣା । ଏହି ସମସ୍ତ କାର୍ଯ୍ୟର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ବିଏମ୍ ସି ଉପାୟୁକ୍ତ ଶ୍ରୀମତୀ ରଶ୍ମୀରେଖା ଅମାନ୍ତ ।
