୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କଲେ ଓଡ଼ିଶା ସରକାର, ସୃଷ୍ଟି ହେବ ୨୨,୮୭୩ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ରାଜ୍ୟର ଶିଳ୍ପାୟନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।  ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୫୭୩.୮୭ କୋଟି ବିନିଯୋଗ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨୨,୮୭୩ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା କରୁଛନ୍ତି।

ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡ଼ିକ ଆଇଟି ଓ ଆଇଟିଇଏସ୍, ଗ୍ରୀନ୍ ଏନର୍ଜି, ବ୍ୟାଟେରି ଉତ୍ପାଦନ, କେମିକାଲ୍, ବସ୍ତ୍ର ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍ ଡାଉନ୍ ଷ୍ଟ୍ରିମ୍, ଔଷଧ, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ର ସହ ଜଡ଼ିତ। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ସୁନ୍ଦରଗଡ଼ ସମେତ ୧୧ଟି ଜିଲ୍ଲାରେ ସ୍ଥାପିତ ହେବ। ଆଇଟି କ୍ଷେତ୍ରରେ HCL Technologies ଖୋର୍ଦ୍ଧାରେ ₹୭୩୦ କୋଟି ବିନିଯୋଗରେ ଏକ ଗ୍ଲୋବାଲ୍ ଡେଭେଲପମେଣ୍ଟ ସେଣ୍ଟର ସ୍ଥାପନ କରିବ, ଯାହା ମାଧ୍ୟମରେ ୬ ହଜାର ଚାକିରି ସୃଷ୍ଟି ହେବ। ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ACME Cleantech Solutions ଗଞ୍ଜାମରେ ₹୭୭୮ କୋଟି ବିନିଯୋଗରେ ଆଲ୍କାଲାଇନ୍ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।

ବସ୍ତ୍ର ଓ ପୋଷାକ କ୍ଷେତ୍ରରେ ସର୍ବାଧିକ ରୋଜଗାର ସୃଷ୍ଟି ହେବାକୁ ଯାଉଛି। ପୁରୀରେ SAPL Industries, SPL Industries ଏବଂ Richa Global Exportsର ତିନୋଟି ରେଡିମେଡ୍ ଗାର୍ମେଣ୍ଟ ୟୁନିଟ୍ ସହ ବଲାଙ୍ଗୀରରେ Astha Cotspinର ଟେକ୍ସଟାଇଲ୍ ପ୍ରକଳ୍ପ ମିଶି ପ୍ରାୟ ୧୦,୩୯୫ ଜଣଙ୍କୁ ନିଯୁକ୍ତି ଯୋଗାଇବ। ରାଜ୍ୟ ସରକାରଙ୍କ କହିବାନୁସାରେ, ଏହି ବିନିଯୋଗ ପ୍ରସ୍ତାବଗୁଡ଼ିକ ଓଡ଼ିଶାର ଶିଳ୍ପାୟନକୁ ଆହୁରି ମଜବୁତ କରିବା ସହ ସ୍ଥାନୀୟ ସ୍ତରରେ ରୋଜଗାର ବୃଦ୍ଧି ଏବଂ ‘ସମୃଦ୍ଧ ଓଡ଼ିଶା-୨୦୩୬’ ଲକ୍ଷ୍ୟ ପୂରଣରେ ସହାୟକ ହେବ।

 

Spread the love

Leave a Reply

Your email address will not be published. Required fields are marked *