ବଢ଼ୁଛି କିଡନୀ ରୋଗୀ ସଂଖ୍ୟା, କାରଣ ଖୋଜିବାକୁ ପହଞ୍ଚିଲା ଏମ୍ସ ବିଶେଷଜ୍ଞ ଟିମ୍
ସୁବର୍ଣ୍ଣପୁରରେ ବଢ଼ୁଛି କିଡନୀ ରୋଗୀ ସଂଖ୍ୟା । ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଥିବାରୁ ପ୍ରଶାସନର ଚିନ୍ତା ବଢ଼ାଇଛି । ଜିଲ୍ଲାରେ ରୋଗର କାରଣ ଏବଂ ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ଅନୁସନ୍ଧାନ ପାଇଁ ଏମ୍ସର ଚାରିଜଣିଆ ବିଶେଷଜ୍ଞ ଟିମ୍ ସୁବର୍ଣ୍ଣପୁରରେ ପହଞ୍ଚିଛି । ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ବିଶେଷଜ୍ଞ ଟିମ୍ ବିଭିନ୍ନ ଗାଁକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ସ୍ଥିତିର ସମୀକ୍ଷା କରିଛି । ପରେ ଟିମ୍ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।
ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏହି ଟିମ୍ ବିଭିନ୍ନ ପ୍ରଭାବିତ ଗାଁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ପାନୀୟ ଜଳ, ଖାଦ୍ୟାଭ୍ୟାସ, ଜୀବନଶୈଳୀ ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଛି । ରୋଗର ପ୍ରକୃତ କାରଣ ଚିହ୍ନଟ କରିବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ । ସେହି ରିପୋର୍ଟ ଆଧାରରେ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
