୭ ବର୍ଷ ପରେ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ‘ନିର୍ଭୟା’ ଦୋଷୀ

୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର  ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ଆଜି ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି ।  ଅପରାଧର ୨୬୫୦ ଦିନ ପରେ ଦଣ୍ଡିତ ହୋଇଛନ୍ତି ୪ ନିର୍ଭୟା ଦୋଷୀ। ଫାଶୀ ପରେ ନିର୍ଭୟାଙ୍କ ମା’ କହିଛନ୍ତି ଶେଷରେ ଆମକୁ ନ୍ୟାୟ ମିଳିଛି।

ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ହାଇକୋର୍ଟ ଏହାର ସମୀକ୍ଷା କରିପାରିବ ନାହିଁ ବୋଲି କୋର୍ଟ ଦୋଷୀଙ୍କ ଓକିଲକୁ କହିଥି‌ଲେ। ଏହାପରେ ରାତି ପ୍ରାୟ ୧ଟା ବେଳେ ଏ.ପି. ସିଂହ ସୁପ୍ରିମ୍‌କୋର୍ଟ ରୋଜିଷ୍ଟ୍ରାରଙ୍କ ବାସଭବନକୁ ଯାଇ ପୁଣି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବାକୁ ଆଲୋଚନା କରିଥିଲେ। ଫଳରେ ସୁପ୍ରିମ କୋର୍ଟରେ ମଧ୍ୟରାତ୍ରି ଶୁଣାଣି ଆରମ୍ଭ ହୋଇଥିଲା। ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ସୁପ୍ରିମ କୋର୍ଟ କରିଥିଲେ। ଏହାପରେ ନିର୍ଭୟା ଦୋଷୀ ପବନ ଗୁପ୍ତା ଅପରାଧ ସମୟରେ ନାବାଳକ ଥିବା ଦର୍ଶାଇ ଫାଶୀ ରୋକାଯାଉ ବୋଲି ତାର ଓକିଲ ଏ.ପି. ସିଂହ ଯୁକ୍ତି ରଖିଥିଲେ । ରାଷ୍ଟ୍ରପତି .ଖୋଲାମନରେ ରାଜକ୍ଷମାର ବିଚାର କରିନାହାନ୍ତି ବୋଲି କହିଥିଲେ।  ମାତ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ଗୁପ୍ତା ଏହାର କୌଣସି ଆଧାର ନ ଥିବା.ଯୁକ୍ତି ବାଢ଼ିଥିଲା। ଶେଷରେ ସୁପ୍ରିମ କୋର୍ଟ ଆବେଦନରେ କୌଣସି ନୂତନତ୍ବ ନ ଥିବା ଓ ଏହାର ଆଧାର ନ ଥିବା ଦର୍ଶାଇ ମାମଲାକୁ ଖାରଜ କରି ଦେଇଥିଲେ।୪ ଦୋଷୀଙ୍କୁ ଏକସଂଗରେ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପୂର୍ବରୁ ଯେଉଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା ତାହା ଯଥାରୀତି କାର୍ଯ୍ୟକାରୀ ହୋଇଛି । ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍‌ସ ଜଜ୍‌ ଧର୍ମେନ୍ଦ୍ର ରାଣା ୪ ନିର୍ଭୟା ଦୋଷୀଙ୍କ ବିରୋଧରେ ୩ ଥର ଡେଥ୍‌ ୱାରେଣ୍ଟ୍‌ ଜାରି କରଥିଲେ। ପ୍ରଥମେ ଜାନୁଆରି ୨୨ରେ ୪ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ଡେଥ୍‌ ୱାରେଣ୍ଟ୍‌ ଜାରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଫେବ୍ରୁଆରି ୧କୁ ଫାଶୀ ତାରିଖ ଘୁଞ୍ଚିଥିଲା। ତେବେ କୋର୍ଟ ଜାନୁଆରି ୩୧ରେ ଶୁଣାଣି କରି ଫେବ୍ରୁଆରି ୧ ଫାଶୀ ତାରିଖ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ପୁଣି ଥରେ ଫାଶୀ ଉପରେ ରହିତାଦେଶ ଜାରି କରାଯାଇ ମାର୍ଚ୍ଚ ୩ରେ ଏହି ୪ଜଣ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ଡେଥ୍‌ ୱାରେଣ୍ଟ୍‌ ଜାରି କରିଥିଲେ।

ଏହା ଉପରେ ବି ଶେଷ ମୁହୂର୍ତରେ ରହିତାଦେଶ ଲାଗିଥିଲା। ପରେ ମାର୍ଚ୍ଚ ୫ ତାରିଖରେ ତୃତୀୟ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇଥିଲା ଏବଂ ଏଥିରେ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ଥିଲା।

Spread the love