ସମ୍ବିଧାନର ୨୨ଟି ଭାଷାକୁ ନେଇ ପ୍ରସ୍ତୁତ ହୋଇଛି ସମ୍ବଲପୁରୀ ବାନ୍ଧ ଶାଢ଼ୀ, ନାମ ରଖାଯାଇଛି ଭାଷା ବନ୍ଧନ

କଣ୍ଟାମାଳ : ୧୨ଟି ଭାଷାରେ ସମ୍ବଲପୁରୀ ବାନ୍ଧ ଶାଢ଼ୀ । ସମ୍ବିଧାନର ୨୨ଟି ଭାଷାକୁ ନେଇ ପ୍ରସ୍ତୁତ ହୋଇଛି ସମ୍ବଲପୁରୀ ବାନ୍ଧ ଶାଢ଼ୀ । ଯାହାର ନାମ ରଖାଯାଇଛି ‘ଭାଷା ବନ୍ଧନ’  ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେବା ପାଇଁ ବୁଣିଛନ୍ତି ବୌଦ୍ଧ ବ୍ଲକ ବାଉଁଶୁଣୀ ବଉଦିଆସାହୀ ଗାଁର ବୁଣାକାର ସୁରୁବାବୁ ମେହେର ।  ଶାଢ଼ୀର ଆଞ୍ଚଲରେ ରହିଛି “ସତ୍ୟମେବ ଜୟତେ”।  ସ୍ଵାଧୀନତା ଦିବସକୁ ଆଖିରେ ରଖି ପ୍ରସ୍ତୁତ ହୋଇଥିବା ଏହି ଶାଢ଼ୀକୁ ରାଷ୍ଟ୍ରପତିଙ୍କୁ ଉପହାର ସ୍ୱରୂପ ପ୍ରେରଣ କରାଯିବା ନେଇ ଆଶା ରଖିଛନ୍ତି ସୁରୁବାବୁ । ଏହା କେବଳ ଏକ ଶାଢ଼ୀ ନୁହେଁ, ବରଂ ସୁତା ଖିଅରେ ବନ୍ଧା ହୋଇଛି ସମଗ୍ର ଭାରତବର୍ଷ । ତନ୍ତର ପ୍ରତିଟି ସୂତାରେ ଓଡ଼ିଆ, ଆସାମୀ, ବଙ୍ଗାଳୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମଣିପୁରୀ, ମରାଠୀ, ନେପାଳୀ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ସାନ୍ତାଳୀ, ମୈଥିଳୀ ଓ ଡୋଗ୍ରୀ ଭଳି ୨୨ଟି ଭାଷାର ଅକ୍ଷରକୁ ଅତି ନିପୁଣ ଭାବେ ବୁଣାଯାଇଛି । ଏହି ଅନନ୍ୟ ସ୍ମାରକୀ ଶାଢ଼ୀ ପ୍ରସ୍ତୁତ କରିବା ସୁରୁବାବୁ ଓ ତାଙ୍କ ପରିବାରଙ୍କୁ ଲାଗିଥିଲା ଦୀର୍ଘ ଦୁଇ ମାସ ସମୟ । ସୁରୁବାବୁଙ୍କ ଏହି କାର୍ଯ୍ୟ ପଛରେ ରହିଛି ଏକ ଦେଶପ୍ରେମର ପ୍ରେରଣା । ତାଙ୍କ ପିତା ସ୍ୱର୍ଗତ ବିଷ୍ଣୁ ଚରଣ ମେହେର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବାପାଙ୍କ ନିଃସ୍ୱାର୍ଥପର ସେବା, ଦେଶପ୍ରେମ ଓ ସତ୍ୟାଗ୍ରହର ଆଦର୍ଶକୁ ଅନୁସରଣ କରି ନିଜ କଳା ମାଧ୍ୟମରେ ଦେଶକୁ ଏକତାର ବାର୍ତ୍ତା ଦେବା ପାଇଁ ଏହି ପ୍ରୟାସ କରିଛନ୍ତି ସୁପୁତ୍ର ସୁରୁବାବୁ ମେହେର ।

Spread the love

Leave a Reply

Your email address will not be published. Required fields are marked *