ଭୁବନେଶ୍ୱରରେ ଦିଲ୍ଲୀ ନିୟମ: ଲାଗୁହେଲା ଯୁଗ୍ମ-ଅଯୁଗ୍ମ ନିୟମ

ଭୁବନେଶ୍ୱର, ୨୧/୦୩: ଶନିବାର ଠାରୁ ଭୁବନେଶ୍ୱରରେ ବସ, ଟ୍ୟାକ୍ସି, ଅଟୋ ପାଇଁ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ। ତେବେ କାଲି ସହରରେ ଅଯୁଗ୍ମ ନମ୍ୱର ଗାଡ଼ି ଗଡ଼ିବ। ତା’ ପର ଦିନ କେବଳ ଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ୍‌(ବିଏମସି) ସ୍ପଷ୍ଟ କରିଛି।

ଜନସମାଗମକୁ ରୋକିବା ପାଇଁ ରାଜଧାନୀରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିଛି। ଏହା ଦ୍ୱାରା ରାସ୍ତା ଅଜଥା ଭିଡକୁ ନିୟନ୍ତ୍ରଣ କରିବା ସହିତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ। ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ। ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ ଫର୍ମାଟ ଲାଗୁ ହେବ। ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବନାହିଁ। ସରକାରୀ ଓ ଭଡ଼ା ଗାଡ଼ି ଓ ଜରୁରିକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ।

ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ ବୋଲି ବିଏମସି ସ୍ପଷ୍ଟ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ବିଏମସି ବିଜ୍ଞପ୍ତି ଜାରି କରିଛି। ତେବେ ଆଗରୁ ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ଏହି ଫର୍ମୁଲା ଲାଗୁ କରାଯାଇଥିଲା।

Spread the love