ସମ୍ ନର୍ସିଂ କଲେଜ ପକ୍ଷରୁ ଶିଶୁଙ୍କ ମଧ୍ୟରେ ସୁସ୍ଥ ପୋଷଣ ଓ କୁପୋଷଣ ନିବାରଣନେଇ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ସେପେ୍‌ଟମ୍ବର ୩: ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଉପଯୁକ୍ତ ପୋଷଣ, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ଅଭ୍ୟାସ, ବୃଦ୍ଧି ଓ କୁପୋଷଣ ନିବାରଣ ଉପରେ ଗୁରୁତ୍ୱାରୋପ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) କ୍ୟାମ୍ପସ-୧ ପକ୍ଷରୁ ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ ଏକ ପୋଷଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ଏସ୍‌ଏନ୍‌ସିର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା, ଶିଶୁ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ କମ୍ୟୁନିଟି ହେଲ୍‌ଥ ଅଫିସର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏସ୍‌ଏନ୍‌ସିର ପ୍ରଥମ ବର୍ଷ ଏମ୍‌.ଏସ୍‌ସି. ନର୍ସିଂ ଛାତ୍ରଛାତ୍ରୀମାନେ ଅଧ୍ୟାପକମାନଙ୍କ ମାର୍ଗଦର୍ଶନରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଉପରେ କରାଯାଇଥିବା ପୋଷଣ ସମ୍ବନ୍ଧୀୟ ଆକଳନର ଫଳାଫଳ ଉପସ୍ଥାପନ କରିଥିଲେ । ଶିଶୁଙ୍କ ସୁସ୍ଥ ବୃଦ୍ଧି ଓ ସର୍ବାଙ୍ଗୀନ ବିକାଶ ପାଇଁ ସନ୍ତୁଳିତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରଦର୍ଶନୀ ଏବଂ ସିଧାସଳଖ ରନ୍ଧନ ପ୍ରଦର୍ଶନ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା । ପୁଷ୍ଟିକର, ସୁଲଭ ଓ ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ଖାଦ୍ୟ ସାମଗ୍ରୀ ସଂପର୍କରେ ଅଂଶ ଗ୍ରହଣକାରୀଙ୍କୁ ଅବଗତ କରାଯିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ଏବଂ ଶିଶୁଙ୍କ ଉପଯୁକ୍ତ ଖାଦ୍ୟ ଗ୍ରହଣ ପଦ୍ଧତି ସଂପର୍କରେ ବ୍ୟବହାରିକ ପରାମର୍ଶ ଦିଆଯାଇଥିଲା । ଚନ୍ଦକାସ୍ଥିତ ଦାରୁଠେଙ୍ଗ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବ୍‌-ସେଂଟରର କମ୍ୟୁନିଟି ହେଲ୍‌ଥ ଅଫିସର ଶ୍ରୀମତୀ ମାନସୀ ମହାରଣା ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶିଶୁ କୁପୋଷଣ ରୋକିବାରେ ପରିବାର ଏବଂ ସାମୁଦାୟିକ ସ୍ୱାସ୍ଥ୍ୟ କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏସ୍‌ଏନ୍‌ସିର ଅତିରିକ୍ତ ଡିନ୍ ତଥା କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗର ମୁଖ୍ୟ ପ୍ରଫେସର ତପତୀ ସାହାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Spread the love