ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପିରେ ହଲଚଲ୍, ଭଣଜା ଆକାଶ ଆନନ୍ଦକୁ ପାର୍ଟିରୁ ବହିଷ୍କୃତ କଲେ ମାୟାବତୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରେ ହଲଚଲ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ସୁପ୍ରିମୋ ମାୟାବତୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ ସଂଯୋଜକ ତଥା ତାଙ୍କ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ପାର୍ଟିରୁ ସମ୍ପୂର୍ଣ୍ଣ ଭାବେ ବହିଷ୍କୃତ କରାଯାଇଛି । ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ରାଜନୈତିକ ସନ୍ନ୍ୟାସ ପରେ ମଧ୍ୟ ପରିବାରର କଳହ ଯୋଗୁଁ ମାୟାବତୀ ଏହି ଚରମ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ମାୟାବତୀ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ଅଶୋକ ସିଦ୍ଧାର୍ଥ ରାଜନୀତିରୁ ସନ୍ନ୍ୟାସ ନିଅନ୍ତି, ତେବେ ଆକାଶ ଆନନ୍ଦଙ୍କୁ ଦଳରେ ପୁନର୍ବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ । ଏହି ଚାପର ବଶବର୍ତ୍ତୀ ହୋଇ ଅଶୋକ ସିଦ୍ଧାର୍ଥ ତୁରନ୍ତ ରାଜନୀତିରୁ ଅବସର ଘୋଷଣା ମଧ୍ୟ କରିଥିଲେ । କିନ୍ତୁ ମାୟାବତୀ ତାଙ୍କ କଥାରେ ରହିନଥିଲେ ।

ଭଣଜା ଆକାଶ ଆନନ୍ଦଙ୍କ କାର୍ଯ୍ୟକଳାପ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରି ବିଏସପି ମୁଖ୍ୟ ଲେଖିଛନ୍ତି ଯେ, ଆକାଶଙ୍କୁ ନିଜର ରାଜନୈତିକ କ୍ୟାରିୟରଠାରୁ ନିଜ ଶ୍ୱଶୁରଙ୍କ ପ୍ରତି ଅଧିକ ଦୁର୍ବଳତା ରହିଛି । ତେଣୁ ଦଳୀୟ କର୍ମୀ ଏବଂ ନେତାମାନଙ୍କ ସହମତି କ୍ରମେ, ପୂର୍ବରୁ ଜାତୀୟ ସଂଯୋଜକ ପଦରୁ ଅବ୍ୟାହତି ଦିଆଯାଇଥିବା ଆକାଶ ଆନନ୍ଦଙ୍କୁ ଆଜିଠାରୁ ଦଳର ସମସ୍ତ କାର୍ଯ୍ୟକଳାପ ଏବଂ ସଦସ୍ୟତାରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି । ସେ ଯଦି ଦଳ ବାହାରେ ସ୍ୱାଧୀନ ଭାବେ ରହିବାକୁ ଚାହାଁନ୍ତି, ତେବେ ତାଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଗଲା ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି । ତେବେ ଏହି ସଂଗଠନିକ ପଦକ୍ଷେପ ପରେ ଉତ୍ତରପ୍ରଦେଶର ରାଜନୈତିକ ବାତାବରଣ ଏକ ନୂଆ ମୋଡ଼ ନେଇଛି ଏବଂ ଆଗାମୀ ଦିନରେ ଏହାର ପ୍ରଭାବ ଦଳୀୟ ଭୋଟ୍ ବ୍ୟାଙ୍କ ଉପରେ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *