ମାର୍ଚ୍ଚ ୨୯, ୨୦୨୫ । ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଥିଲା ବଡ଼ଧରଣର ବନ୍ୟଜନ୍ତୁ ରାକେଟ୍‌ । ୯ଟି କାଲିଫର୍ଣ୍ଣିଆ କିଙ୍ଗ୍ ସ୍ନେକ୍‌, ୧୦ଟି କେମିଲିୟନ୍, ୧୨ଟି ରିଭର୍ ଫ୍ଲାଏ ଟର୍ଟଲ୍ ଓ ୩ଟି ମନିଟର୍ ଲିଜାର୍ଡ ଜବତ କରିଥିଲା କଷ୍ଟମ୍ ବିଭାଗ । ଏସବୁ ବିରଳ ସାପ, ଏଣ୍ଡୁଅ, କଇଁଛ ଓ ଗୋଧି ଚାଲାଣ କରୁଥିଲେ ବିଦେଶରୁ ଆସିଥିବା ଜଣେ ଯାତ୍ରୀ । ହେଲେ ଏହାର ତଦନ୍ତ କେତେ ଆଗେଇଲା? ରାକେଟ୍‌ର ଚେର କେତେ ଯାଏଁ ଲମ୍ୱିଥିଲା? କ’ଣ କାର୍ୟ୍ୟାନୁଷ୍ଠାନ ହେଲା? ତାହା ରହସ୍ୟ ଘେରରେ ରହିଛି । ଆଉ ଏବେ ବାଲେଶ୍ୱରର ତଟବର୍ତ୍ତୀ ଅଞ୍ଚଳ ବିଚିତ୍ରପୁରରେ ୫ଟି ଓରାଙ୍ଗଉଟାନ ଶାବକ ରହସ୍ୟଜନକ ଭାବେ ଉଦ୍ଧାର ହେବା ପରେ, ସେଗୁଡ଼ିକୁ ସମୁଦ୍ରପଥରେ ଅଣାଯାଇଥିବା ସନ୍ଦେହ କରାଯାଉଛି । ଏଥିସହ ଓଡ଼ିଶା କିପରି ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କ ଗେଟ୍‌ୱେ ବା ପ୍ରବେଶ ପଥ ପାଲଟିଛି, ତାହା ପୁଣି ଥରେ ପଦାରେ ପଡ଼ିଛି । ହେଲେ ଏହି ମାମଲାର ତଦନ୍ତ ଶେଷ ନିଷ୍କର୍ଷରେ ପହଞ୍ଚିବ? ନା ଚର୍ଚ୍ଚା ଥମିଗଲେ ମାମଲା ବି ଥଣ୍ଡା ପଡ଼ିଯିବ? ତାହା ସବୁଠୁ ବଡ଼ ପ୍ରଶ୍ନ ।
୨୦୨୨ରେ ପଶ୍ଚିମବଙ୍ଗର ଏକ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ଜୀବନ୍ତ କଙ୍ଗାରୁ ଛୁଆ । କେବଳ ଅଷ୍ଟ୍ରେଲିଆରେ ଦେଖାଯାଉଥିବା କଙ୍ଗାରୁ ଭାରତକୁ କେମିତି ଆସିଲା, ସେତେବେଳେ ବି ଚହଳ ପଡ଼ିଥିଲା । ଏହାପରେ ୨୦୨୩ରେ ମିଜୋରାମରୁ ବି ମିଳିଥିଲା ଏକ ଓରାଙ୍ଗଉଟାନ । ମିଆଁମାରରୁ ଚାଲାଣ ହୋଇଥିବା ସନ୍ଦେହ କରାଯାଉଥିଲା । ଆଉ ଏବେ ଏହି ବିଦେଶୀ ପ୍ରଜାତି ଜୀବ ଉଦ୍ଧାର ହେବା ତାଲିକାରେ ଯୋଡ଼ି ହୋଇଛି ଓଡ଼ିଶା ।  ଇଣ୍ଡୋନେସିଆରେ ମିଳୁଥିବା ଏହି ବାନର ପ୍ରଜାତି ୪ ହଜାର କିଲୋମିଟର ଦୂର ଓଡ଼ିଶାକୁ କେମିତି ଆସିଲା, ତାହା ହିଁ ସବୁଠୁ ବଡ଼ ରହସ୍ୟ । ମିଜୋରାମ ସୀମା, ପୂର୍ବ ଉପକୂଳର ବନ୍ଦର ଓ ଆଞ୍ଚଳିକ ରାଜପଥକୁ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ସିଣ୍ଡିକେଟ୍ ଦୂରୁପଯୋଗ କରୁଥିବା ସନ୍ଦେହ କରାଯାଉଛି ।ପ୍ରଶ୍ନ ଉଠୁଛି, ଓଡ଼ିଶା ଦେଇ କୁଆଡ଼େ ପଠାଯାଉଛି ବିଦେଶୀ ଜୀବଜନ୍ତୁ? ହୁଗୁଳା ତଟସୁରକ୍ଷା ଓ ଢିଲା ବନବିଭାଗକୁ ଦେଖି ଓଡ଼ିଶାକୁ ସେଫ୍ ରୁଟ୍‌ ଭାବୁଛନ୍ତି କି ବନ୍ୟଜନ୍ତୁ ମାଫିଆ?