୪ ଆଇପିଏସ ବଦଳି, ଭୁବନେଶ୍ୱର ଡିସିପି ହେଲେ ଡ. ସରବଣା ବିବେକ
ଭୁବନେଶ୍ୱର: ରାଜ୍ୟରେ ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଏହି ବଦଳି ଓ ନିଯୁକ୍ତି ପରେ ଭୁବନେଶ୍ୱର, ବ୍ରହ୍ମପୁର, ଢେଙ୍କାନାଳ ଓ ବରଗଡ଼ ପୋଲିସ ପ୍ରଶାସନରେ ପରିବର୍ତ୍ତନ ହୋଇଛି । ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟରତ ଡା. ସରବଣା ବିବେକ ଏମ୍ ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂଆ ଦାୟିତ୍ୱ ମିଳିଛି । ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେବା ପରେ ରାଜଧାନୀର ପୋଲିସ ପ୍ରଶାସନର ନେତୃତ୍ୱ ନେବେ ।
ସେହିପରି ଢେଙ୍କାନାଳ ଏସପି ଭାବେ କାର୍ଯ୍ୟରତ ଅଭିନବ ସୋଙ୍କରଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି। ଏହାଦ୍ୱାରା ବ୍ରହ୍ମପୁର ପୋଲିସ ଜିଲ୍ଲାର ନୂଆ ଏସପି ଭାବେ ସେ ଦାୟିତ୍ୱ ତୁଲାଇବେ। ଅନ୍ୟପକ୍ଷରେ,ରାଜ୍ୟ ପୋଲିସ ମୁଖ୍ୟାଳୟର ସହକାରୀ ଏସପି ଏ.ବି. ସିଲ୍ପାଙ୍କୁ ବରଗଡ଼ ଏସଡିପିଓ ଭାବେ ପୋଷ୍ଟିଂ ଦିଆଯାଇଛି। ସେହିପରି ପାରାଦୀପର ଅତିରିକ୍ତ ଏସପି ମନେ ଅଜିଙ୍କ୍ୟ ବାବୁରାଓଙ୍କୁ ଢେଙ୍କାନାଳ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି। ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ବଦଳି ଓ ନିଯୁକ୍ତି କରାଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ପଦରେ ଯୋଗଦେବେ ।
