ଚିଲିକାରେ ଉଗ୍ର ରୂପ ନେଲା ପାଗ, ଚିନ୍ତାରେ ମତ୍ସ୍ୟଜୀବୀ
ଚିଲିକା: ଚିଲିକାରେ ଡିପ୍ ଡିପ୍ରେସନର ପ୍ରଭାବ । ପ୍ରବଳ ପବନ ଓ ଉଚ୍ଚ ଢେଉ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହୋଇପଡ଼ିଛି ଚିଲିକା । ଏହାର ପ୍ରଭାବରେ ଚିଲିକାରେ ବନ୍ଧା ହୋଇଥିବା ମତ୍ସ୍ୟଜୀବୀଙ୍କ ଅନେକ ଡଙ୍ଗା ଭାଙ୍ଗିବା ସହ ବୁଡ଼ିଯାଇଥିବା ଜଣାପଡ଼ିଛି ।
ବିଶେଷ କରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଡିପ୍ ଡିପ୍ରେସନର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଚିଲିକାରେ ଉଚ୍ଚ ଢେଉ ସହ ପବନର ବେଗ ବଢ଼ିବା ଯୋଗୁଁ କୂଳରେ ବନ୍ଧା ହୋଇଥିବା ଡଙ୍ଗାଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି । କୃଷ୍ଣପ୍ରସାଦ ବ୍ଲକ ଅରଖକୁଦାର ମଙ୍ଗଳାସାହି ଏବଂ ଲକ୍ଷ୍ମୀନାରାୟଣ ସାହିର ମତ୍ସ୍ୟଜୀବୀଙ୍କ ଡଙ୍ଗା ଚିଲିକାରେ ବୁଡ଼ିଯାଇଛି। କେତେକ ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଫଳରେ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି ।
ଡଙ୍ଗା ହେଉଛି ମତ୍ସ୍ୟଜୀବୀଙ୍କ ଜୀବିକାର ମୁଖ୍ୟ ମାଧ୍ୟମ । ତେଣୁ ଡଙ୍ଗା ବୁଡ଼ିଯିବା ଓ ଭାଙ୍ଗିଯିବା ଯୋଗୁଁ ସେମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି । ଡିପ୍ ଡିପ୍ରେସନ ପ୍ରଭାବରେ ପାଗ ଅଶାନ୍ତ ରହିଥିବାରୁ ଚିଲିକାକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏଭଳି ପରିସ୍ଥିତିରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ସହ ଡଙ୍ଗାଗୁଡ଼ିକର କ୍ଷୟକ୍ଷତି ଉପରେ ମଧ୍ୟ ନଜର ରଖାଯାଉଛି ।
