ଛତିଶଗଡ଼ ଆଡ଼କୁ ଗତି କରୁଛି ଗଭୀର ଅବପାତ, ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ସେପ୍ଟେମ୍ବର ୨୪: ଗଞ୍ଜାମ ଜିଲ୍ଲାର ଦକ୍ଷିଣ-ପଶ୍ଚିମରେ ବୁଧବାର ରାତିରେ ସ୍ଥଳଭାଗ ଅତିକ୍ରମ କରିଥିବା ଗଭୀର ଅବପାତ ଗୁରୁବାର ଦିନ ରାୟଗଡ଼ାଠାରୁ ପ୍ରାୟ ୮୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ଥିଲା। ଏହା ଉତର-ଉତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଥିବା ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଦେଇ ଉତର ଛତିଶଗଡ଼ ଆଡ଼କୁ ଗତି କରିବା ସହ ଶୁକ୍ରବାର ପର୍ଯ୍ୟନ୍ତ ଏହାର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗୁରୁବାର କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଶୁକ୍ରବାର ଠାରୁ ବର୍ଷାର ପ୍ରକୋପ ଧୀରେ ଧୀରେ କମିବାର ସମ୍ଭାବନା ଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *