ଆଇନ ପରିବର୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ:ଜଷ୍ଟିସ୍ ଶଶିକାନ୍ତ ମିଶ୍ର

ଭୁବନେଶ୍ୱର, ସେପ୍ଟେମ୍ବର ୨୭: ଭାରତରେ ବର୍ଷ ବର୍ଷ ଧରି ଆଇନ ବ୍ୟବସ୍ଥାର ବିକାଶ ସମାଜରେ ବ୍ୟାପକ ପରିବର୍ତନ ଆଣିବା ସହ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର କହିଛନ୍ତି । ଆଇନ ପରିବର୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ । ଆଇନ କାର୍ଯ୍ୟକାରୀ ହେଲେ ସମାଜ ତା’ର ଅନୁସରଣ କରେ,” ବୋଲି ଜଷ୍ଟିସ୍ ମିଶ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆଇନ : ‘ସାମାଜିକ ପରିବର୍ତନ ସୁଶାସନର ଏକ ଉପକରଣ’ ଶୀଷର୍କ ବକ୍ତୃତା ପ୍ରଦାନ କରି କହିଛନ୍ତି। ସୋଆ ବାର୍ଷିକ ବକ୍ତୃତାମାଳାର ଅଂଶ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ ଓ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍‌ଏନ୍‌ଆଇଏଲ୍‌)ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଜଷ୍ଟିସ୍ ମିଶ୍ର କହିଥିଲେ ଯେ ସମ୍ବିଧାନ ପ୍ରଣୟନ ପୂର୍ବରୁ ସମାଜ ବିଭିନ୍ନ ଭେଦଭାବରେ ବିଭକ୍ତ ଥିଲା ଏବଂ ଅସ୍ପୃଶ୍ୟତା ଏକ ଗୁରୁତର ସାମାଜିକ ସମସ୍ୟା ଥିଲା । ଅସ୍ପୃଶ୍ୟ ଭାବେ ବିବେଚିତ ଲୋକଙ୍କୁ ମନ୍ଦିର ପ୍ରବେଶରୁ ବଂଚିତ କରାଯାଉଥିଲା । ଭାରତୀୟ ସମ୍ବିଧାନର ଧାରା ୧୭ ଏହି ପ୍ରଥାକୁ ଦୂର କରି ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲା । ବର୍ଷ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ନ୍ୟାୟିକ ହସ୍ତକ୍ଷେପ ସମାଜରେ ବୈପ୍ଳବିକ ପରିବର୍ତନ ଆଣିଥିବା ସେ କହିଥିଲେ ।
ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ଏବଂ କାର ଚଳାଇବା ବେଳେ ସିଟ୍‌ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବା ମଧ୍ୟ ଆଇନର ପ୍ରଭାବର ଉଦାହରଣ ବୋଲି ସେ କହିଥିଲେ । ପୂର୍ବରୁ କାର୍‌ରେ ସିଟ୍‌ବେଲ୍ଟ ବ୍ୟବସ୍ଥା ନଥିଲା, କିନ୍ତୁ ଆଜି ଏହା ବ୍ୟବହାର ନକଲେ ଦଣ୍ଡିତ ହେବାକୁ ପଡ଼ିଥାଏ । ଏପରିକି ପ୍ରତ୍ୟେକ କାର୍ ନିର୍ମାତାଙ୍କୁ ଯାନରେ ସିଟ୍‌ବେଲ୍ଟ ବ୍ୟବସ୍ଥା କରିବାକୁ ପଡ଼ୁଛି ବୋଲି ସେ କହିଥିଲେ ।
ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ ଅଦାଲତଙ୍କ ନିଷେଧାଦେଶକୁ ମଧ୍ୟ ସେ ଏକ ବୈପ୍ଳବିକ ପଦକ୍ଷେପ ବୋଲି ବଣ୍ଣର୍ନା କରିଥିଲେ । ବର୍ତମାନ ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଥିବା ଲୋକ କ୍ୱଚିତ୍ ଦେଖିବାକୁ ମିଳୁଥିବା ବେଳେ ଧୂମପାନକାରୀଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ ।
ଆଇନ ଦ୍ୱାରା ଆସିଥିବା ବିଭିନ୍ନ ସାମାଜିକ ପରିବର୍ତନ ସଂପର୍କରେ ଆଲୋଚନା କରି ସେ ସୂଚନା ଅଧିକାର ଆଇନ (RTI ACT), ତୃତୀୟ ଲିଙ୍ଗର ସ୍ୱୀକୃତି ଏବଂ ବଂଚିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ନେଇ ସଂରକ୍ଷଣ ବ୍ୟବସ୍ଥାର ଉଦାହରଣ ଦେଇଥିଲେ ।
ଯୌତୁକ ପ୍ରଥା ଏକ ପୁରୁଷ କେନ୍ଦ୍ରୀୟ ମାନସିକତାରୁ ଉତ୍ପନ୍ନ ହୋଇଥିବା ଦର୍ଶାଇ ସେ କହିଥିଲେ ଯେ, ବରପକ୍ଷର ପରିବାର କନ୍ୟାକୁ ନିଜ ଘରକୁ ଗ୍ରହଣ କରିବାକୁ କନ୍ୟା ପରିବାର ପ୍ରତି ଏକ ଉପକାର ବୋଲି ଭାବୁଥିଲେ ଏବଂ ଏଥିପାଇଁ ପ୍ରତିଦାନ ଆଶା କରୁଥିଲେ । ଯୌତୁକ ପ୍ରଥା ବିରୋଧରେ ଆଇନ ଅତ୍ୟନ୍ତ କଠୋର ଓ ଦୃଢ଼ ବୋଲି ସେ କହିଥିଲେ । ସତୀ ପ୍ରଥା ଭଳି ନିଷ୍ଠୁର ପ୍ରଥାକୁ ଆଇନ ଦୂର କରିଥିବା ବେଳେ ବିଧବା ବିବାହକୁ ଆଇନଗତ ସ୍ୱୀକୃତି ଦିଆଯାଇଛି ଏବଂ ବାଲ୍ୟବିବାହ ଭଳି କୁପ୍ରଥାକୁ ଦୂର କରାଯାଇଛି ବୋଲି ସେ କହିଥିଲେ ।
ସମ୍ବିଧାନର ଧାରା ୨୧ ପ୍ରତ୍ୟେକ ନାଗରିକଙ୍କୁ ‘ଜୀବନର ଅଧିକାର’ ପ୍ରଦାନ କରିଛି ଏବଂ ଏହାକୁ ସେ ‘ସମ୍ବିଧାନର ଆତ୍ମା’ ବୋଲି ଅଭିହିତ କରିଥିଲେ । ୧୯୯୭ ମସିହାର ସୁପ୍ରିମକୋର୍ଟଙ୍କ ଐତିହାସିକ ବିଶାଖା ମାମଲାର ରାୟ ସଂପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ । ଏହି ରାୟ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ସଂଜ୍ଞା ନିର୍ଦ୍ଧାରଣ କରିବା ସହ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଷେଧାତ୍ମକ ନିର୍ଦ୍ଦେଶାବଳୀକୁ ଆଇନଗତ ଭାବେ ବାଧ୍ୟତାମୂଳକ କରିଥିଲା ।
ସୁଶାସନ ସଂର୍ପକରେ ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଆଇନର ଅନୁପାଳନ, ଉତରଦାୟିତ୍ୱ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ଅଂଶଗ୍ରହଣକୁ ସୁଯୋଗ ଦେବା ହେଉଛି ସୁଶାସନର ମୁଖ୍ୟ ଉଦ୍ଦେଶ୍ୟ । ଦୁର୍ନୀତି ରୋକିବା ପାଇଁ ମଧ୍ୟ ଦୃଢ଼ ପଦକ୍ଷେପ ଆବଶ୍ୟକ ଏବଂ ଏଥିପାଇଁ ଦୁର୍ନୀତି ନିବାରଣ ଆଇନ ପ୍ରଣୟନ କରାଯାଇଛି ବୋଲି ସେ କହିଥିଲେ ।
କୃଷି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଦେଶର ପ୍ରାୟ ୭୦ ପ୍ରତିଶତ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେମାନେ ଜଣେ କୃଷକଙ୍କ ଭଳି ଚିନ୍ତା କରିବା ଆରମ୍ଭ କରିବା ଉଚିତ । “ଆଇନ କିପରି କାର୍ଯ୍ୟ କରେ ତାହା ଜାଣିବା ସହ ନିଜ ମନକୁ ଖୋଲା ରଖିବା ଆବଶ୍ୟକ । ମାନବ ମନ ଏକ ପାରାସୁଟ୍ ଭଳି, ଏହା ଖୋଲା ରହିଲେ ହିଁ କାର୍ଯ୍ୟ କରେ,” ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *