ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି, ଯୋଗ୍ୟ ଭୋଟର ବାଦ୍ ନପଡ଼ିବା ଉପରେ ଫୋକସ୍

ଭୁବନେଶ୍ବର: ପଞ୍ଚାୟତ-ପୌର ଭୋଟ୍ ପାଇଁ ପ୍ରସ୍ତୁତି । ତ୍ରୁଟିମୁକ୍ତ ଭୋଟର ତାଲିକା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କ ଟ୍ରେନିଂ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଆଉ ପାଦେ ଆଗକୁ ନେଉଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ହେବାକୁ ଥିବା ଘରକୁ ଘର ସର୍ଭେ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ ଦିଆଯାଉଛି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ । ଏହି ପ୍ରଶିକ୍ଷଣର ମୁଖ୍ୟ ଫୋକସ୍ ରହିବ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ କିଭଳି ଯାଞ୍ଚ କରାଯିବ, ତାଲିକାରେ ଥିବା ତ୍ରୁଟି କିଭଳି ଚିହ୍ନଟ ହେବ ଏବଂ ପ୍ରତ୍ୟେକ ବୁଥ୍ ର ବାସ୍ତବ ସ୍ଥିତି ଅନୁସାରେ ଏକ ସଠିକ୍ ଭୋଟର ତାଲିକା କିଭଳି ପ୍ରସ୍ତୁତ କରାଯିବ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ସହରାଞ୍ଚଳ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସଫା କରିବା ଉପରେ ଆୟୋଗ ଗୁରୁତ୍ୱ ଦେଉଛନ୍ତି । ଘରକୁ ଘର ସର୍ଭେରେ ଜୀବିତ ଓ ବାସ୍ତବରେ ସେହି ଅଞ୍ଚଳରେ ରହୁଥିବା ଭୋଟରଙ୍କ ତଥ୍ୟ ଯାଞ୍ଚ ସହ ମୃତ, ସ୍ଥାନାନ୍ତରିତ ଏବଂ ଅନ୍ୟ ଅଯୋଗ୍ୟ ଏଣ୍ଟ୍ରି ଚିହ୍ନଟ କରିବା ଉପରେ ଫୋକସ୍ ରହିବ ।

ସେହିପରି କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ତାହା ମଧ୍ୟ ଏହି ପ୍ରକ୍ରିୟାର ଏକ ପ୍ରମୁଖ ଲକ୍ଷ୍ୟ । ନୂଆ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା, ଭୁଲ୍ ତଥ୍ୟ ସଂଶୋଧନ କରିବା ଏବଂ ଗୋଟିଏ ପରିବାରର ଯୋଗ୍ୟ ଭୋଟରମାନଙ୍କୁ ସମ୍ଭବ ହେଲେ ସମାନ ବୁଥ୍ ର ତାଲିକାରେ କ୍ରମାନ୍ୱୟରେ ରଖିବା ଉପରେ ମଧ୍ୟ ଗୁରୁତ୍ୱ ରହିବ । ଏହା ସହ ଡୁପ୍ଲିକେଟ୍ ଭୋଟରଙ୍କୁ ଚିହ୍ନଟ କରି ଜଣେ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ନରହିବାକୁ ବ୍ୟବସ୍ଥା କରିବା ମଧ୍ୟ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଭୋଟର ତାଲିକାର ଡିଜିଟାଇଜେସନ୍, ଡାଟା ଯାଞ୍ଚ ଏବଂ ଡି-ଡୁପ୍ଲିକେସନ୍ ବ୍ୟବସ୍ଥା ଉପରେ ମଧ୍ୟ ଆୟୋଗ ଫୋକସ୍ କରୁଛନ୍ତି । ରାଜ୍ୟସ୍ତରରେ ପ୍ରଶିକ୍ଷଣ ନେଉଥିବା ମୁଖ୍ୟ ପ୍ରଶିକ୍ଷକମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ତୃଣମୂଳସ୍ତରରେ ସର୍ଭେ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷିତ କରିବେ ବୋଲି ଆଶା କରାଯାଉଛି ।

ଫଳରେ ସାରା ରାଜ୍ୟରେ ଏକ ସମାନ ପ୍ରକ୍ରିୟାରେ ଭୋଟର ଯାଞ୍ଚ କରିବା ସହ ତଥ୍ୟ ସଂଗ୍ରହରେ ତ୍ରୁଟି କମାଇବାକୁ ଲକ୍ଷ୍ୟ ରହିବ । ଏହି ଘରକୁ ଘର ସର୍ଭେ କେବଳ ଭୋଟରଙ୍କ ନାମ ଯାଞ୍ଚରେ ସୀମିତ ରହିବ ନାହିଁ । ବୁଥ୍ ୱାରୀ ଭୋଟର ତାଲିକା, ୱାର୍ଡ ଓ ବୁଥ୍ ର ସ୍ଥିତି, ଦାବି ଓ ଆପତ୍ତିର ସମାଧାନ ଭଳି ବିଷୟ ମଧ୍ୟ ଆଗାମୀ ନିର୍ବାଚନ ପ୍ରସ୍ତୁତିର ଅଂଶ ହେବ । ରାଜ୍ୟ ନିର୍ବାଚନ ଆୟୋଗ ପୂର୍ବରୁ ଜିଲ୍ଲାପାଳ ଓ ନିର୍ବାଚନ ସହ ଜଡ଼ିତ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏବେ ମୁଖ୍ୟ ପ୍ରଶିକ୍ଷକଙ୍କ ରାଜ୍ୟସ୍ତରୀୟ ଟ୍ରେନିଂ ସହ ତୃଣମୂଳସ୍ତରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି । ସବୁଠାରୁ ବଡ଼ ଲକ୍ଷ୍ୟ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏମିତି ଏକ ଭୋଟର ତାଲିକା ପ୍ରସ୍ତୁତ କରିବା, ଯେଉଁଥିରେ ଯୋଗ୍ୟ ଭୋଟର ବାଦ୍ ପଡ଼ିବେ ନାହିଁ ଏବଂ ଭୁଲ୍ କିମ୍ବା ଡୁପ୍ଲିକେଟ୍ ଏଣ୍ଟ୍ରିକୁ ସର୍ବନିମ୍ନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *