ଓଡିଶାବାସୀଙ୍କୁ ଘରୁ ନ ବାହାରିବାକୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

“ମୁଁ ମୋ ପିଲାଛୁଆ ବାପା ମାଆଙ୍କ ନାମରେ ଶପଥ କରି କହୁଛି ଯେ ମୁଁ ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥୀରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ଯିବି ତେବେ ଫେରିବା ସମୟରେ ସାବୁନ୍ ରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି । କରୋନା ଭାଇରସ୍ କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ । ମୋର ପରିବାର ପାଇଁ ବିପଦର କାରଣ ହେବି ନାହିଁ ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟନ୍ତ ଆବେଗଭରା ନିବେଦନରେ ଓଡ଼ିଶାବାସୀଙ୍କୁ ଏହି ଶପଥ କରାଇଛନ୍ତି । ‘ମୋ ଜୀବନ କାର୍ଯ୍ୟକ୍ରମ’ ଅଂଶ ଭାବେ ପ୍ରତିଦିନ ଏହି ଶପଥପାଠ କରିବାକୁ ପ୍ରତ୍ୟେକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନିଜ ଘରର ଏଣ୍ଟ୍ରାନସ୍ ରେ ଏହି ଶପଥପାଠ ଲଗାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଏହାର ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ତାଙ୍କ ପାଖକୁ ପଠାଇବାକୁ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଭାଇରସ୍ ବିଷୟରେ ଆପଣମାନେ ଭଲ ଭାବେ ଜାଣି ସାରିଲେଣି । ଚୀନ୍ ରେ ଥିଲା, ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପ୍ ରେ ଥିଲା, ବହୁତ ଦୂରରେ ଥିଲା । ପରେ ଇରାନ୍ କୁ ଆସିଲା । ଦିଲ୍ଲୀରେ ବି ପହଞ୍ଚିଲା । ଏବେ ଏହି ଭାଇରସ୍ ଆମ ଘର ପାଖରେ ପହଞ୍ଚୁଛି ।
ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ ଆମର ଦାୟିତ୍ୱ ହେଉଛି ଆମେ ଏହି ଭାଇରସ୍ କୁ ଘରେ ପଶିବାକୁ ଦେବା ନାହିଁ । ସେଥିପାଇଁ ଏ ଲକ୍ ଡାଉନ୍ । ଗତ ୨୦ ବର୍ଷର ସେବା ମଧ୍ୟରେ ମୁଁ ମୋ ପ୍ରିୟ ଓଡ଼ିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି । ଆପଣମାନେ ସବୁ ଅନୁରୋଧକୁ ପାଳନ କରୁଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ।
Spread the love