ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ କଲେ ପ୍ରଧାନମନ୍ତ୍ରୀ

କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୧ଦିନ ପାଇଁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ନିୟମ ଆଜି ରାତି ୧୨ଟାରୁ ଲାଗୁ ହେବ । ଏହାର ନାମ ଲକ୍ ଡାଉନ୍ ରହିଥିଲେ ମଧ୍ୟ ଏହାକୁ କର୍ଫ୍ୟୁ ଭଳି ପାଳନ କରି ଲୋକମାନେ ଘରୁ ବାହାରିବାକୁ ମନା କରିଛନ୍ତି ମୋଦି ।

କୋରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ୨୧ ଦିନ ସମସ୍ତେ ଲକ ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ଯଦି କେହି ଏହାକୁ ଅଣଦେଖା କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦି କହିଛନ୍ତି।

କୋରୋନା ଯେଉଁଭଳି ମହାମାରୀ ରୂପ ଧାରଣ କରିଛନ୍ତି, ଯଦି ୨୧ ଦିନ ଆମେ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ତେଣୁ କୋରୋନା ପାଇଁ ଭାରତ ସରକାର ବାଧ୍ୟ ହୋଇ ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କୋରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ମୋଦି କହିଛନ୍ତି।

Spread the love