ଆଜି ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଦୁର୍ବଳ ହେଉଥିଲେ ମଧ୍ୟ ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଛି । ଆଜି ଆଜି ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ଆଜି ବର୍ଷାର ପ୍ରକୋପ ବଢ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୬୦ କିମି ବେଗରେ ଝଟକା ପବନ ସମ୍ଭାବନା ରହିଛି। ଏହି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ତିନି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ବିଚ୍ଛିନ୍ନ ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଅନ୍ୟପଟେ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ସମେତ ଅଧିକାଂଶ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲା ପାଇଁ ଆଜି କୌଣସି ସ୍ୱତନ୍ତ୍ର ପ୍ରବଳ ବର୍ଷା ଚେତାବନୀ ନାହିଁ। ତେବେ ଏହି ଅଞ୍ଚଳଗୁଡ଼ିକରେ ମଧ୍ୟ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ବର୍ଷା ସହ କେତେକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ିର ଆଶଙ୍କା ରହିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୫୦ କିଲୋମିଟର ଛୁଇଁପାରେ ।
ଅନ୍ୟ କେତେକ ସ୍ଥାନରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବା ସହ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ପାଣିପାଗ ବିଭାଗର ଏହି ଚେତାବନୀ ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୩୦ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ବାତ୍ୟା ‘ଅର୍ଣ୍ଣବ’ର ତୀବ୍ରତା କମୁଥିଲେ ମଧ୍ୟ ଏହା ପ୍ରଭାବରେ ବର୍ଷାର ବିପଦ ଏବେ ବି ରହିଛି । ବିଶେଷକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଆଜି ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
