ଓଡ଼ିଶାକୁ ପୁଣି ପ୍ରବଳ ବର୍ଷା ଭୟ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର: ଓଡ଼ିଶାକୁ ପୁଣି ପ୍ରବଳ ବର୍ଷା ଭୟ । ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ବହିପାରେ ଝଟକା ପବନ । ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ, ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍ ଆର୍ ସି । ନଭେମ୍ବର ୨ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଉଭୟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୟାଗଡ଼ରେ ମଧ୍ୟ ଘଡ଼ଘଡ଼ି ସହ ଝଟକା ପବନ ଆଶଙ୍କା ରହିଛି ।
ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଏବଂ ଝଟକା ପବନ ୫୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲାରେ ବର୍ଷାର ପ୍ରକୋପ ବଢ଼ିପାରେ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ପାଞ୍ଚ ଜିଲ୍ଲା ସହ ପୁରୀ ଓ ଖୋର୍ଦ୍ଧାରେ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପଟେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ନଭେମ୍ବର ୪ ସକାଳ ସାଢ଼େ ୮ଟାରୁ ୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିବ ।
ସେହିପରି ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି।ଏହି ସମୟରେ ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲା ସହ ପୁରୀ ଓ ଖୋର୍ଦ୍ଧାରେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ନଭେମ୍ବର ୫ ସକାଳ ସାଢ଼େ ୮ଟାରୁ ୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ଓ ଝଟକା ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ। ବର୍ଷା ସହ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି ।
ଆଜି ସନ୍ଧ୍ୟାରୁ ୪ ତାରିଖ ଅପରାହ୍ଣ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଏହାର ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୬୦ କିଲୋମିଟର ଛୁଇଁପାରେ । ନଭେମ୍ବର ୩ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ବଢ଼ି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିପାରେ । ପରବର୍ତ୍ତୀ ସମୟରେ ପାଗରେ ଧୀରେ ଧୀରେ ସୁଧାର ଆସିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ପ୍ରବଳ ବର୍ଷା, ପବନ ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷକରି ନିକଟରେ ବନ୍ୟା ପ୍ରଭାବିତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁଣି ପ୍ରବଳ ବର୍ଷା ପୂର୍ବାନୁମାନ ଚିନ୍ତା ବଢ଼ାଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ନଦୀନାଳରେ ଜଳସ୍ତର ବୃଦ୍ଧିର ସମ୍ଭାବ୍ୟ ବିପଦ ପ୍ରତି ପ୍ରଶାସନକୁ ସତର୍କ ରହିବାକୁ ପଡ଼ିବ ।
