ଓଏମସି ମୁଖ୍ୟ କାର୍ଯ୍ୟାଳୟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର : ସ୍ତନ କର୍କଟ ରୋଗ ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଧାରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ଭୁବନେଶ୍ବର ସ୍ଥିତ ନିଗମର ମୁଖ୍ୟ କାର୍ଯ୍ୟାଳୟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଅକ୍ଟୋବର ମାସକୁ ବିଶ୍ୱବ୍ୟାପୀ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଲତ୍ ଆଫରିନଙ୍କ ସମେତ ୫୫ ଜଣ ମହିଳା ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ । କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ସହ ରୋଗର ଆଗୁଆ ଚିହ୍ନଟ ସମ୍ପର୍କରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ସ୍ତନ କର୍କଟ ରୋଗର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ ଏହାର ସାଧାରଣ ଲକ୍ଷଣ, ସମ୍ଭାବ୍ୟ ବିପଦ କାରକ, ପ୍ରାରମ୍ଭିକ ଚିହ୍ନଟର ଆବଶ୍ୟକତା ଏବଂ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା । ବିଶେଷକରି, ଶରୀରରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ବା ଲକ୍ଷଣ ଦେଖାଦେଲେ ତାହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ସେହିପରି, ନିୟମିତ ସ୍କ୍ରିନିଂ, ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସମୟୋଚିତ ଚିକିତ୍ସା ଗ୍ରହଣ ମାଧ୍ୟମରେ ଏହି ରୋଗର ମୁକାବିଲା କରିବାରେ ସଚେତନତାର ଭୂମିକା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଯାଇଥିଲା । ରୋଗ ସମ୍ପର୍କିତ ଭୟ, ଦ୍ୱିଧା ଓ ସାମାଜିକ ସଙ୍କୋଚ ଦୂର କରି ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଏବଂ ଆବଶ୍ୟକ ସମୟରେ ଚିକିତ୍ସା ସେବା ଗ୍ରହଣ କରିବାକୁ ଉତ୍ସାହିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ।
