୭ରେ ଗଞ୍ଜାମର ବନ୍ୟାଞ୍ଚଳ ଗସ୍ତ କରିପାରନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ୭ରେ ଗଞ୍ଜାମର ବନ୍ୟାଞ୍ଚଳ ଗସ୍ତ କରିପାରନ୍ତି ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସହ ଶେରଗଡ଼ର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସମ୍ଭାବନା, ଆସିକା ଓ ସୋରଡ଼ା ଦେଇ ଫେରିବା କାର୍ଯ୍ୟକ୍ରମ ରହିଛି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ ତାରିଖରେ ଗଞ୍ଜାମ ଗସ୍ତରେ ଆସିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ସେ ଶେରଗଡ଼ ଓ ହିଞ୍ଜିଳି ଅଞ୍ଚଳ ପରିଦର୍ଶନ କରି ଆସିକା ଓ ସୋରଡ଼ା ଦେଇ ଫେରିବେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଲଗାତାର ନିର୍ବାଚିତ ହୋଇଆସୁଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ହିଞ୍ଜିଳି ତାଙ୍କର ରାଜନୈତିକ କର୍ମଭୂମି ହୋଇରହିଛି । ୨୦୨୪ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଏହି ଆସନରୁ ବିଜୟୀ ହୋଇଥିଲେ । ନିଜ ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳକୁ ତାଙ୍କର ସମ୍ଭାବ୍ୟ ଗସ୍ତ ରାଜନୈତିକ ଓ ପ୍ରଶାସନିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି ।

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଶେଷକରି ଆସିକା, ସୋରଡ଼ା ଓ ଭଞ୍ଜନଗର ଅଞ୍ଚଳରେ ବର୍ଷାଜଳ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଥିଲା। ଋଷିକୁଲ୍ୟା ଓ ବଡ଼ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଆସିକା ସହରର ତଳିଆ ଅଞ୍ଚଳରେ ପାଣି ପଶିଥିଲା । ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଘରେ ପାଣି ପଶିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା । ସୋରଡ଼ା ବ୍ଲକର ବିଭିନ୍ନ ଗାଁରେ ମଧ୍ୟ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା ।

ବନ୍ୟା ଯୋଗୁଁ ଚାଷଜମି, ରାସ୍ତାଘାଟ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଭାବିତ ଲୋକଙ୍କ ଥଇଥାନ, କ୍ଷୟକ୍ଷତି ଆକଳନ ଓ ସହାୟତା ପ୍ରଦାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଏଭଳି ସ୍ଥିତିରେ ନବୀନ ପଟ୍ଟନାୟକଙ୍କ ସମ୍ଭାବ୍ୟ ଗଞ୍ଜାମ ଗସ୍ତକୁ ନେଇ ଚର୍ଚ୍ଚା ବଢ଼ିଛି । ଗସ୍ତ ସମୟରେ ସେ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହୋଇପାରନ୍ତି । ତେବେ ତାଙ୍କ ଗସ୍ତର ଚୂଡ଼ାନ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ଆନୁଷ୍ଠାନିକ ସ୍ପଷ୍ଟୀକରଣକୁ ଅପେକ୍ଷା ରହିଛି ।

Spread the love

Leave a Reply

Your email address will not be published. Required fields are marked *