ଅଧ୍ୟାପକ ନାହାନ୍ତି, କର୍ମଚାରୀଙ୍କ ମଧ୍ୟ ଅଭାବ; ସରକାରୀ କଲେଜରେ ଖାଲି ୧୬୦୧ ପଦ

ରାଜ୍ୟର ସରକାରୀ କଲେଜଗୁଡ଼ିକରେ ଖାଲି ପଡ଼ିଛି ଶହ ଶହ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ । ଅଧ୍ୟାପକ ନାହାନ୍ତି, ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟ ଅଭାବ । ଏବେ ସରକାରୀ କଲେଜରେ ମୋଟ ୮୧୨ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଆଗାମୀ ଦିନରେ ଅବସର ଯୋଗୁଁ ଆହୁରି ୭୫ଟି ପଦ ଖାଲି ହେବ । ଅର୍ଥାତ୍ ୨୦୨୮ ଶେଷ ସୁଦ୍ଧା ମୋଟ ୮୮୭ଟି ଅଧ୍ୟାପକ ପଦ ଖାଲି ରହିବା ସମ୍ଭାବନା ରହିଛି ।

ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂର ଜ। ତେବେ କେବେ ପୂରଣ ହେବ ଏହି ଖାଲି ପଦବୀ? କେତେ ଜଣଙ୍କ ନିଯୁକ୍ତି ପାଇଁ ଚାଲିଛି ପ୍ରକ୍ରିୟା ?

ସରକାରଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ଖାଲି ଥିବା ୮୧୨ଟି ଅଧ୍ୟାପକ ପଦବୀ ସହିତ ୨୦୨୬ ନଭେମ୍ବର ଓ ଡିସେମ୍ବରରେ ୨ଟି, ୨୦୨୭ରେ ୩୯ଟି ଏବଂ ୨୦୨୮ରେ ୩୪ଟି ପଦ ଅବସର ଯୋଗୁଁ ଖାଲି ହେବ । ଏହିପରି ମୋଟ ୮୮୭ଟି ଅଧ୍ୟାପକ ପଦବୀ ଖାଲି ହେବାକୁ ଯାଉଛି ।

ଏଥିମଧ୍ୟରୁ ୬୮୯ଟି ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ବା OPSCକୁ ଅଧିଯାଚନା ପଠାଯାଇଛି । ଏହା ମଧ୍ୟରୁ ୩୮୫ଟି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି।

ସେହିପରି ୬ଟି ବିଷୟରେ ୮୧ ଜଣ ଚୟନିତ ପ୍ରାର୍ଥୀଙ୍କ ମେଧା ତାଲିକା OPSC ପକ୍ଷରୁ ମିଳିଛି । ସେମାନଙ୍କ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଆଉ ୧୦ଟି ବିଷୟରେ ମେଧା ତାଲିକା ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ। ବାକି ୩୦୪ଟି ପଦବୀ ପୂରଣ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ OPSC ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ ।

କେବଳ ଅଧ୍ୟାପକ ନୁହନ୍ତି, ଅଣଶିକ୍ଷକ ପଦବୀ ମଧ୍ୟ ଖାଲି !

ରାଜ୍ୟର ସରକାରୀ କଲେଜଗୁଡ଼ିକରେ ଏବେ ୭୮୯ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଏଥିରେ ୫୭ଟି ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍-ଷ୍ଟୋରକିପର, ୭ଟି ଶାରୀରିକ ଶିକ୍ଷା ଶିକ୍ଷକ ବା PET ଏବଂ ୫୮ଟି କନିଷ୍ଠ ସହାୟକ ପଦବୀ ରହିଛି ।

ଏହି ପଦବୀଗୁଡ଼ିକ ପୂରଣ ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୫୭ଟି ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍-ଷ୍ଟୋରକିପର ଏବଂ ୨୨ଟି କନିଷ୍ଠ ସହାୟକ ପଦ ପାଇଁ ରାଜ୍ୟ ପ୍ରବରଣ ମଣ୍ଡଳୀ ବା SSB ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି ।

ବାକି ୩୬ଟି କନିଷ୍ଠ ସହାୟକ ଏବଂ ୭ଟି PET ପଦବୀ ପୂରଣ ପାଇଁ SSBକୁ ଅନୁରୋଧ କରାଯାଇଛି । ଏହାବ୍ୟତୀତ ୧୬୮ଟି ପିଅନ ପଦବୀକୁ ଅନୁକମ୍ପାମୂଳକ ନିଯୁକ୍ତି ଯୋଜନାରେ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ।
ଅନ୍ୟପଟେ କର୍ମଚାରୀଙ୍କ ଅବସର ଯୋଗୁଁ ୨୦୨୬ରେ ୫ଟି, ୨୦୨୭ରେ ୧୧ଟି ଏବଂ ୨୦୨୮ରେ ୧୩ଟି ଅଣଶିକ୍ଷକ ପଦବୀ ଖାଲି ହେବାର ଆକଳନ କରାଯାଇଛି । ଅର୍ଥାତ୍ ଆଉ ୨୯ଟି ପଦ ଖାଲି ହେବ ।

ତେବେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅଣଶିକ୍ଷକ ପଦବୀଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ଗୃହରେ ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *