କ୍ଷୁଦ୍ର ପକ୍ଷୀର ବିରାଟ କମାଲ୍, ୧୦୧ ଘଣ୍ଟା ଉଡ଼ି ଇତିହାସ ରଚିଲା ଅମୁର ବାଜ

ନୂଆଦିଲ୍ଲୀ: ଓଜନ ମାତ୍ର ୧୫୦ ଗ୍ରାମ । ହେଲେ ଉଡ଼ାଣରେ ଦେଖାଇଛି ଅସାଧାରଣ ଶକ୍ତି ଓ ସହନଶୀଳତା । ମାତ୍ର ୧୦୧ ଘଣ୍ଟାରେ ପ୍ରାୟ ୫,୭୦୦ କିଲୋମିଟର ନିରନ୍ତର ଉଡ଼ି ଭାରତର ମଣିପୁରରୁ ଆଫ୍ରିକୀୟ ଦେଶ ସୋମାଲିଆରେ ପହଞ୍ଚିଛି ଏକ ଅମୁର ବାଜ । ଏତେ ଦୀର୍ଘ ଯାତ୍ରା ସମୟରେ ପକ୍ଷୀଟି ନା କେଉଁଠି ଅଟକିଛି, ନା ବିଶ୍ରାମ ନେଇଛି, ନା ଖାଦ୍ୟ ଗ୍ରହଣ କରିଛି ।

ଏହି ଅସାଧାରଣ ଉଡ଼ାଣର ନାୟିକା ହେଉଛି ‘ଆଲାଙ୍ଗ’ ନାମକ ଏକ ଯୁବ ମାଈ ଅମୁର ଫାଲକନ୍ । ଶନିବାର ଉପଗ୍ରହ ଟ୍ରାକିଂରୁ ଏହି ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ସେହିପରି ଏହାର ସାଥୀ ‘ଆପାପାଙ୍ଗ’ ନାମକ ଏକ ବୟସ୍କ ଅଣ୍ଡିରା ପକ୍ଷୀ ୯୫ ଘଣ୍ଟାରେ ପ୍ରାୟ ୪,୧୦୦ କିଲୋମିଟର ଉଡ଼ାଣ ଭରିଥିବାବେଳେ ସେତେବେଳକୁ ଆରବ ସାଗର ଉପରେ ଥିଲା ।

ସୂଚନା ଅନୁସାରେ, ଏହି ଦୁଇ ପକ୍ଷୀ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲା ଅନ୍ତର୍ଗତ ଚିଉଲୁଆନରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ସମୁଦ୍ର ଉପରେ ଦୀର୍ଘ ଉଡ଼ାଣ ପୂର୍ବରୁ ସେମାନେ ସେଠାରେ ପ୍ରାୟ ୨୫ ଦିନ ରହିଥିଲେ। ଏହି ସମୟରେ ପ୍ରଚୁର ଖାଦ୍ୟ ଖାଇ ଶରୀରରେ ଶକ୍ତି ସଞ୍ଚୟ କରିଥିଲେ । ଅମୁର ଫାଲକନ୍ ଏକ କ୍ଷୁଦ୍ର ଶିକାରୀ ପକ୍ଷୀ । ପୂର୍ବ ରୁଷିଆ, ଉତ୍ତର-ପୂର୍ବ ଚୀନ୍ ଓ ମଙ୍ଗୋଲିଆ ଏହାର ପ୍ରଜନନ କ୍ଷେତ୍ର ।

ପ୍ରତିବର୍ଷ ଶୀତ ଋତୁରେ ଏହି ପକ୍ଷୀମାନେ ହଜାର ହଜାର କିଲୋମିଟର ଉଡ଼ି ଦକ୍ଷିଣ ଓ ପୂର୍ବ ଆଫ୍ରିକାରେ ପହଞ୍ଚନ୍ତି । ଏହି ଦୀର୍ଘ ଯାତ୍ରାରେ ମଣିପୁର ଓ ନାଗାଲାଣ୍ଡ ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଶ୍ରାମସ୍ଥଳ । ଏଠାରେ ପ୍ରଚୁର କୀଟପତଙ୍ଗ ଖାଇ ସେମାନେ ଶରୀରରେ ଚର୍ବି ସଞ୍ଚୟ କରନ୍ତି, ଯାହା ସମୁଦ୍ର ଉପରେ ଦୀର୍ଘ ଉଡ଼ାଣ ପାଇଁ ଶକ୍ତି ଯୋଗାଇଥାଏ ।

ଏହି ପକ୍ଷୀମାନଙ୍କ ଗତିବିଧି ଓ ଉଡ଼ାଣ ଉପରେ ନଜର ରଖିବାକୁ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (WII)ର ବୈଜ୍ଞାନିକମାନେ ୨୦୨୫ ନଭେମ୍ବରରେ ମଣିପୁର ଅମୁର ଫାଲକନ୍ ଟ୍ରାକିଂ ପ୍ରକଳ୍ପ ଅଧୀନରେ ଏହି ଦୁଇ ପକ୍ଷୀଙ୍କ ଶରୀରରେ କ୍ଷୁଦ୍ର ଉପଗ୍ରହ ଟ୍ରାନ୍ସମିଟର ଲଗାଇଥିଲେ। ଏହା ମାଧ୍ୟମରେ ସେମାନଙ୍କ ଯାତ୍ରାପଥ, ଗତିବିଧି ଓ ଉଡ଼ାଣ ସମୟ ସମ୍ପର୍କରେ ତଥ୍ୟ ମିଳୁଛି ।

ତାମିଲନାଡୁ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁପ୍ରିୟା ସାହୁ ଶନିବାର ସାମାଜିକ ଗଣମାଧ୍ୟମରେ ଏହି ଅଭିଯାନ ସମ୍ପର୍କିତ ତଥ୍ୟ ସେୟାର କରିଥିଲେ । ଏକଦା ଉତ୍ତର-ପୂର୍ବ ଭାରତରେ ବ୍ୟାପକ ଶିକାରର ସମ୍ମୁଖୀନ ହେଉଥିବା ଏହି ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଏଭଳି ଟ୍ରାକିଂ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ।

Spread the love

Leave a Reply

Your email address will not be published. Required fields are marked *