ସୋଆ ଯୁକ୍ତ ଦୁଇ ମହାବିଦ୍ୟାଳୟ (ଆଇଏଚ୍ଏସ୍ଇ)ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୮/ ୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ଦୁଇ ମହାବିଦ୍ୟାଳୟ (ଆଇଏଚ୍ଏସଇ) ପକ୍ଷରୁ ସୋମବାର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଆଶାବରୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱରର ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ବିଭିନ୍ନ ପାଠ୍ୟକ୍ରମ ଭିତିିକ ଆତ୍ମ ନିଯୁକ୍ତି ସୁଯୋଗ ଏବଂ ତାହା ହାସଲ କରିବାର ମାର୍ଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋର୍ସ କୋର୍ଡିନେଟର ଅମରେଶ ଦାସ ବକ୍ତାଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା, କ୍ଲିନିକାଲ୍ ପ୍ରାକ୍ଟିସ୍, ସରକାରୀ ଓ ବେସରକାରୀ ଚାକିରି ଏବଂ ସ୍ୱାବଲମ୍ବୀ ହେବାର ସୁଯୋଗ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶ୍ନୋତର କ୍ରମରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦିଆଯାଇଥିଲା । ଶେଷରେ ବିଦ୍ୟାଳୟ ପକ୍ଷରୁ ବରିଷ୍ଠ ଇଂରାଜୀ ଅଧ୍ୟାପକ ଡକ୍ଟର ରବୀନ୍ଦ୍ର କର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
