ଭଦ୍ରକରେ ବହି, ଷ୍ଟେସ୍‌ନାରୀ ଦୋକାନ ଖୋଲିବାକୁ ଅନୁମତି ଦେଲେ ଜିଲ୍ଲାପାଳ

ଭଦ୍ରକରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବହି ଦୋକାନ। ଲକଡାଉନ ନିୟମକୁ କୋହଳ କରି ବହି ଓ ଷ୍ଟେସ୍‌ନାରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ପ୍ରତି ରବିବାର ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ ଅବଧି ଶେଷ ହେଉଥିବା ମେ ୩ ଯାଏଁ ଏସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଅଟୋ ଚାଳକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡି କରାଯାଇଛି। ରୋଗୀ କିମ୍ବା ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାରଣରୁ ଯାତ୍ରା କଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ। ଭଦ୍ରକରେ ଦୁଇ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ଭଦ୍ରକ ଟାଉନ୍‌କୁ ଜିଲ୍ଲା ପ୍ରଶାସନ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାର ଅବଧି ସରିବା ପରେ ଜିଲ୍ଲାରେ ଏବେ କେବଳ ଲକ୍‌ଡାଉନ୍‌ ନିୟମ କାର୍ଯ୍ୟକାରୀ ହେଉଛି। ସ୍ଥିତିକୁ ଦେଖି ଜିଲ୍ଲାପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଆଉ କିଛି କ୍ଷେତ୍ରରେ କୋହଳ ଦେଇଛନ୍ତି। ତେବେ ଆଜି ଓ ଷ୍ଟେସ୍‌ନାରୀ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି। ସୂଚନାରୁ ପ୍ରକାଶ, ‘କରୋନା’ରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିରେ ଭଦ୍ରକରୁ ଜଣେ ଅଛନ୍ତି। ଏବେ ମଧ୍ୟ ୩୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Spread the love