ବେସାହାରାଙ୍କୁ ସାହା ହେଲା ସୋଆ, ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର ୧୭/୦୪ : କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ।ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ।

ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା । ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି । ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୨ ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର ୨୩ ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର ୪୯ ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ସୋଆ ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ ଅଧିକାରୀ ଶ୍ରୀ ସୁଧାଂଶୁ ପଟ୍ଟନାୟକ ଓ ଏନଏସଏସ କୋଅରଡିନେଟର ଡକ୍ଟର ନଚିକେତା ଶର୍ମା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟ ପରିଚାଳନା କରିଥିଲେ ।

ଏହି ବଣ୍ଟନ କାର୍ଯ୍ୟରେ ୨୨ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ହରେକୃଷ୍ଣ ନାୟକ, ୨୩ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଦିଲୀପ ମାଝୀ ଓ ୪୯ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ଅଶ୍ୱିନୀ ସୁନ୍ଦରରାଏ ପ୍ରମୁଖ ସହଯୋଗ କରିଥିଲେ ।

Spread the love