ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଛି।    କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଦଇତାପତି ନିଯୋଗ । ପରମ୍ପରା ଆଧାରରେ ରଥଯାତ୍ରା କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛି ଦଇତାପତି ନିଯୋଗ ।

ପୂର୍ବରୁ ଦେଶରେ ଅନେକ ମହାମାରୀ ହୋଇଛି । ସେତେବେଳେ କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ । ଏଣୁ ପୂର୍ବ ଇତିହାସକୁ ଗୁରୁତ୍ୱ ଦେଇ ଚଳିତବର୍ଷ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଥିବା ନେଇ ସୂଚନା ମିଳିଛି । ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ରଥଯାତ୍ରା ଆୟୋଜନ କରିବାକୁ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ପୁରୀକୁ ଅନ୍ୟ ଅଞ୍ଚଳରୁ ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯିବନି ।

ସେବାୟତ ଓ କିଛି ପୋଲିସଙ୍କ ସହାୟତାରେ ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି । ସେବାୟତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ରଥଯାତ୍ରାରେ ସାମିଲ କରିବାକୁ ଚିଠି ଲେଖାଯାଇଛି । ଏହାସହ ରଥଯାତ୍ରା ସମୟରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯିବ । ଏନେଇ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଦାସ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love