ଏଣିକି ପ୍ରବାସୀ ଓଡ଼ିଆ ଫେରିବେ ଟ୍ରେନ୍ ରେ – ମୁଖ୍ୟମନ୍ତ୍ରୀ

ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ଆଉ ବସ୍ ରେ ଆସିବାକୁ ଅନୁମତି ଦିଆଯିବନି । ସେମାନେ ଟ୍ରେନ୍ ରେ ଓଡ଼ିଶା ଆସିବେ । ସୁରତରୁ ବସ୍ ରେ ଫେରିବା ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି । ମହିଳା ଓ ଶିଶୁମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସୁରତରୁ କେବଳ ଟ୍ରେନ ଯୋଗେ ଓଡ଼ିଶା ଫେରିବା ପାଇଁ ପ୍ରବାସୀଙ୍କୁ ଅନୁମତି ଦିଆଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦଜନିତ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।
କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଅନ୍ତେବାସୀଙ୍କ ବିଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ବର୍ତ୍ତମାନର ଅସାଧାରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।
ଆଗାମୀ ଦିନରେ ବିଦେଶରୁ ଓଡ଼ିଆ ଭାଇଭଉଣୀମାନେ ଫେରିବାର ସମ୍ଭାବନା ରହିଛି । ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ୍, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ବାହାରୁ ଆସୁଥିବା ଶ୍ରମିକମାନଙ୍କ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ପରିସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
୧- ରାଜ୍ୟରେ ଦୈନିକ ପରୀକ୍ଷଣ ୧୫,୦୦୦କୁ ବୃଦ୍ଧି କରାଯିବ ।
୨- ଗ୍ରୀନ୍ ଜୋନ୍ ରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ୱାଭାବିକ ହେବ ।
୩- ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ ।
୪- ଚାଷୀ ଓ ଏସଏଚଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ ।
୫- ମିଶନ ଶକ୍ତିର ମା ମାନେ ଏହି କଠିନ ପରିସ୍ଥିତିରେ ୧ କୋଟିରୁ ଅଧିକ ମିଲ୍ ଯୋଗାଇ ସାରିଲେଣି । ତେଣୁ ସେମାନଙ୍କୁ ମିଲ୍ ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯିବ ।
୬- ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଥିବା ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।
୭- ଆଗାମୀ ଖରିଫ ଋତୁ ପାଇଁ ବିହନ ଓ ଅନ୍ୟାନ୍ୟ କୃଷି ଉପକରଣ ଚାଷୀମାନଙ୍କୁ ସୁବିଧାରେ ଯୋଗାଇ ଦିଆଯିବ ।
ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଅପେକ୍ଷାକୃତ ଭଲ ରହିଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ସଂପୃକ୍ତ ସମସ୍ତ ବିଭାଗ ଏବଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତ୍ତମାନର ଏହି ସଫଳତାରେ ଆତ୍ମସନ୍ତୋଷ ଲାଭ ନ କରି ଆଗାମୀ ଦିନରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Spread the love