ଅମାନିଆ ହେବେ ସାବାଡ଼, ଭୁବନେଶ୍ୱରରେ ଲାଗୁହେଲା ରାତିଅଧିଆ କର୍ଫ୍ୟୁ

ଭୁବନେଶ୍ୱରରେ ରାତ୍ରୀକାଳିନ କର୍ଫ୍ୟୁ ଜାରି କରାଯାଇଛି। ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମଙ୍ଗଳବାର ରାତିରୁ ସାରା ସହରରେ ୧୪୪ ଧାରା ବା କର୍ଫ୍ୟୁ ଜାରି କରିଛି ।

ବିନା କାରଣରେ ଘରୁ ବାହାରିଲେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବଳପ୍ରୟୋଗ କରିବ ବୋଲି ଜଣାପଡିଛି। ଏହାପୂର୍ବରୁ ରାଜଧାନୀରେ କମିଶନରେଟ ପୁଲିସ ରାତିରେ ବାହାରକୁ ବାହାରିବା କଟକଣା ଲାଗୁ କରାଯାଇଥିଲେ ମଧ୍ୟ କେତେକ ଅମାନିଆ ଲୋକେ ଏହାକୁ ମାନୁନଥିବାରୁ କମିଶନରେଟ ପୁଲିସ ପକ୍ଷରୁ କର୍ଫ୍ୟୁ ଜାରିକରାଯାଇଛି ।

ତେବେ ଜରୁରୀକାଳିନ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମୟରେ ଯିବା ଆସିବା କରିବାକୁ ଅନୁମତି ମିଳିବ । ଯଦି କେହି ଏହି ନିୟମକୁ ଉଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ୬୫ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବର୍ଷର ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତୀତ ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ବିଦ୍ୟୁତ ବିଭାଗ, ଜରୁରିକାଳୀନ ସେବା, କୋଭିଡ-୧୯ ଡ୍ୟୁଟି ଓ କଲ ସେଣ୍ଟର, ଆଇଟି ସେକ୍ଟରରେ କାମ କରୁଥିବା କର୍ମଚାରୀମାନେ ଏହି ସମୟରେ ଯିବା ଆସିବା କରିପାରିବେ । ଯଦି ଏହି ନିୟମକୁ କେହି ଉଲଂଘନ କରନ୍ତି, ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଆଇପିସିର ଧାର ୧୮୮, ମହାମାରୀ ଆଇନ ୧୮୯୭ରେ ମାମଲା ରୁଜୁ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

Spread the love