ବଙ୍ଗ ବିବାଦର ଆସିଲା ନୂଆ ମୋଡ, କାହା ସପକ୍ଷରେ ଗଲା ସୁପ୍ରିମକୋର୍ଟଙ୍କ ରାୟ ?

ସିବିଆଇ ଓ ମମତା ବାନାର୍ଜୀଙ୍କ ବିବାଦର ନୂଆ ମୋଡ ଆସିଛି । କୋଲକତା ପୁଲିସ୍‌ କମିଶନର ରାଜୀବ କୁମାର ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।  ଲଗାତାର ସିବିଆଇ ସମନ୍‌କୁ ଏଡ଼ାଇ ଆସୁଥିବା ରାଜୀବଙ୍କ ବାସଭବନକୁ ସିବିଆଇର ଟିମ୍‌କୁ ଯିବାକୁ ନଦେବା ସହ ଘଉଡ଼ାଇବା ପାଇଁ ପୁଲିସ ବଳ ପ୍ରୟୋଗ ପରେ ସୁପ୍ରିମ୍‌କୋର୍ଟରେ ସିବିଆଇ କରିଥିବା ଆବେଦନର ଆଜି ଶୁଣାଣି ହୋଇଛି। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ରାଜୀବ ସିବିଆଇ ତଦନ୍ତ ପାଇଁ ନିଜକୁ ପ୍ରସ୍ତୁତ ରଖିବେ ଏବଂ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ବିଶ୍ୱସନୀୟତାର ସହିତ ସହଯୋଗ କରିବେ।

ସୁପ୍ରିମ୍‌କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ରାଜୀବ କୁମାର ମେଘାଳୟର ଶିଲଂଠାରେ ସିବିଆଇ ନିକଟରେ ଉପସ୍ଥିତ ରହି ଏହି ମାମଲାର ତଦନ୍ତରେ ସହଯୋଗ କରିବେ। ଆଜି ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଥିଲେ ସେ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ, କିନ୍ତୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିପାରିବେନି।

ଚଳିତମାସ 20 ତାରିଖରେ ହେବାକୁ ଥିବା ଶୁଣାଣି ପୂର୍ବରୁ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ରାଜୀବଙ୍କ ପକ୍ଷ ଶୁଣିବା ପରେ ଯାଇ କୋର୍ଟରେ ସେମାନଙ୍କ ବ୍ୟକ୍ତିଗତ ଉପସ୍ଥିତି କଥା ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାଜୀବଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇଥିଲେ ମଧ୍ୟ ଶାରଦା ଚିଟ୍‌ଫଣ୍ଡ ବାବଦରେ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ତାଗିଦ୍‌ କରି କହିଛନ୍ତି। ରାଜୀବ ମହଜୁଦ ରହିଥିବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ଢାଲ ସାଜିଛନ୍ତି ବୋଲି କେନ୍ଦ୍ର ସରକାର ଏବଂ ସିବିଆଇର ଆବେଦନ ଆଧାରରେ ସୁପ୍ରିମ୍‌କୋର୍ଟ ଆଜି ଏହି ଶୁଣାଣି କରିଛନ୍ତି।

ସୁପ୍ରିମ୍‌କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଆମେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ନିର୍ଦ୍ଦେଶ ଦେଉଛୁ ସେମାନେ ଚଳିତ ମାସ 18 ତାରିଖ ସୁଦ୍ଧା ସେମାନଙ୍କ ଉତ୍ତର ରଖିବେ।”

ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର ବିଜୟ କହି ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି, “ଚିଟ୍‌ଫଣ୍ଡ ଦୁର୍ନୀତିରେ ଅନେକ ଲୋକ ଜଡ଼ିତ ଅଛନ୍ତି। ଆସାମର ପୂର୍ବତନ ଉପମୁଖ୍ରମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିଷୟରେ ଆଜି ସନ୍ଧ୍ୟା ସୁଦ୍ଧା ତଥ୍ୟ ଦେବି। ବାବୁଲ ସୁପ୍ରିୟୋଙ୍କ ବିଷୟରେ ମଧ୍ୟ ତଥ୍ୟ ଦେବି।”

ଅନ୍ୟପକ୍ଷରେ ଆଜି ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ରାଓ କହିଥିଲେ, ପଶ୍ଚିମବଙ୍ଗରେ ଯେଉଁଭଳି ଘଟଣା ଘଟିଲା ତାହା ସମ୍ବିଧାନ ଓ ବିଧିବ୍ୟବସ୍ଥାର ଉଲ୍ଲଂଘନ।

ସୂଚନାଯୋଗ୍ୟ ଯେ, ରାଜୀବ ସରକାରୀ ଦଳର ବହୁ ବରିଷ୍ଠ ନେତା ଜଡ଼ିତ ଥିବା ଚିଟ୍‌ଫଣ୍ଡ ଦୁର୍ନୀତିର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହଜାଇ ସରକାରଙ୍କୁ ବଞ୍ଚାଇଆସିଥିବା ଅଭିଯୋଗ କରିଛି ସିବିଆଇ। ରାଜୀବ ସିବିଆଇର ସମନ୍‌ର ଉତ୍ତର ନଦେବା ପରେ ରାଜୀବଙ୍କ ବାସଭବନ ଆଗରେ ସିବିଆଇର ବୃହତ୍‌ ଟିମ୍‌ ଠୁଳ ହେବା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହେତୁକ ସମର୍ଥନରେ କୋଲକତା ପୁଲିସ୍‌ ବଳପୂର୍ବକଭାବରେ ସିବିଆଇଙ୍କୁ ଘଉଡ଼ାଇ ନେବା, ଅଟକ ରଖି ଛାଡ଼ିଦେବା ଏବଂ ଶେଷରେ ଗଣତନ୍ତ୍ର ସୁରକ୍ଷାର ଦ୍ୱାହି ଦେଇ ମମତା ଧାରଣାରେ ବସିବା ପରେ ସିବିଆଇ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲା।

Spread the love