ବୁଲବୁଲଠାରୁ ‘ଅମ୍ପାନ’ ଭୟଙ୍କର : ପଢନ୍ତୁ ଜିରୋ କାଜୁଆଲଟି ପାଇଁ କଣ ରହିଛି ସରକାରଙ୍କ ପ୍ରସ୍ତୁତି

 ଭୁବନେଶ୍ୱର,୧୬/୦୫: ଆସନ୍ତା ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ସାମୁନ୍ଦ୍ରିକ ଝଡ଼ ଆମ୍ଫାନ । ଏହି ସାମୁନ୍ଦ୍ରିକ ଝଡ଼ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୨୦ରୁ ୧୫୦ କିଲୋମିଟର ରହିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନକେନ୍ଦ୍ର ଆକଳନ କରିଛି । ଏହାର ପ୍ରଭାବରେ ୧୮ ତାରିଖରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ୧୯ ତାରିଖରେ ଅତିରୁ ଅତିପ୍ରବଳ ବର୍ଷାସହ ସକାଳେ ୪୦ରୁ ୪୫ କିଲୋମିଟର ବେଗରେ ପବନ ବହିବ ।

ସେହିପରି ୧୯ ତାରିଖ ସନ୍ଧ୍ୟାରୁ ପବନର ବେଗ ବଢି ୭୫ରୁ ୮୫ କିଲୋମିଟର ହୋଇପାରେ। ୨୦ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ଓ ସେତେବେଳକୁ ପବନର ବେଗ ୧୨୦ରୁ ୧୫୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନକେନ୍ଦ୍ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆଜି ବାତ୍ୟାର ମୁକାବିଲା ନେଇ ୧୨ ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ସଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଅନେକ ବାତ୍ୟାକୁ ମୁକାବିଲା କରିଛନ୍ତି। ପ୍ରତିଟି ଜୀବନ ମୂଲ୍ୟବାନ। ସରକାର ଜିରୋ କାଜୁଆଲଟି ପାଇଁ ପ୍ରସ୍ତୁତ ରହିଛନ୍ତି । ୨୪ ଘଣ୍ଟିଆ କଟ୍ରେଂଲ ରୁମ୍ ଖୋଲାଯାଇଛି । ୧୨ ଜିଲ୍ଲାରେ ଆଶ୍ରୟ ସ୍ଥଳକୁ ଚିହ୍ନଟ କରାଯାଇଛି । ସେହିଭଳି ମତ୍ସାଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏନ୍ଡିଆରଏଫ୍, ଓଡ୍ରାଫ, ଅଗ୍ନିଶମକର୍ମଚାରୀଙ୍କୁ ସଜାଗ ରଖାଯାଇଛି। ବାତ୍ୟା ବୁଲବୁଲଠାରୁ ‘ଅମ୍ପାନ’ ଭୟଙ୍କର ହେବ। ସେହିଭଳି ବାତ୍ୟା ଫୋନିଠାରୁ କମ ପ୍ରଭାବ ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Spread the love