ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ: ରାଜ୍ୟ ମାନେ ନିଜ ଇଛାରେ ହଟାଇ ପାରିବେନି ଲକଡାଉନ୍ ୪ ଗାଇଡଲାଇନ୍; ଗୃହମନ୍ତ୍ରୀଙ୍କ ତାଗିଦ୍

ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ରାଜ୍ୟ ସରକାର ରାଜ୍ୟର ସ୍ଥିତି ଦେଖି ନିର୍ଣ୍ଣୟ ନେଇପାରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଲକଡାଉନ ନିୟମ କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ଅଧିକାର ଦିଆଯାଇଥିଲେ ସୁଦ୍ଧା ରାଜ୍ୟ ସରକାରମାନେ ଏକ ସୀମାରେ ରହି ନିଷ୍ପତ୍ତି ନେବେ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କୁ ନିର୍ଦେଶନାମା ପଠାଇଛନ୍ତି ଯେ ନିୟମ କୋହଳ କରନ୍ତୁ କିନ୍ତୁ ସରକାରଙ୍କ ଗାଇଡଲାଇନକୁ ପାଳନ କରନ୍ତୁ ।

ରବିବାର ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଘୋଷଣା କରି ଲକଡାଉନ ଅବଧିକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ କରିଥିଲେ । ତେବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କୁ ଅଧିକାର ଦେଇଛନ୍ତି ଯେ, ସେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁଯାୟୀ ଲକଡାଉନ ନିୟମ କୋହଳ କରିପାରିବେ ।

କେଉଁ କେଉଁ ଦୋକାନ ଖୋଲାଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ତେବେ କେନ୍ଦ୍ର ସରକାର ଯେଉଁସବୁ ଗାଇଡଲାଇନ ଜାରି କରିଛନ୍ତି ତାକୁ ରାଜ୍ୟ ସରକାର ହଟାଇ ପାରିବେନି ବୋଲି ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛି । ଗୃହ ସଚିବ ଏ ସମ୍ବନ୍ଧରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରାଳୟର ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି ।

ଗୃହ ମନ୍ତ୍ରାଳୟ ରବିବାର ଦିନ ଦେଶର ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଥିଲେ ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୋନ ନିର୍ଧାରଣ କରିପାରିବେ । ଏହାସହ ଦୋକାନଗୁଡିକ କେଉଁ ସମୟରେ ଖୋଲିବ, କେଉଁ କେଉଁ ଦୋକାନ ଖୋଲାଯିବ, କେତେ ସମୟ ପାଇଁ ଖୋଲାଯିବ, ଅନ୍ତର୍ଜାତୀୟ ପରିବହନ କିଭଳି ଆରମ୍ଭ କରାଯିବ ତାହା ରାଜ୍ୟ ସରକାର ନିଜେ ନିର୍ଣ୍ଣୟ କରନ୍ତୁ ବୋଲି ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛନ୍ତି। ସିନେମା ହଲ, ସପିଙ୍ଗ ମଲ, ଧାର୍ମିକ ସ୍ଥଳ, ଧାର୍ମିକ ସମାଗମ, ସ୍କୁଲ-କଲେଜ, ରାଜନୈତିକ ସମାରୋହ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏହିସବୁ ମାମଲାରେ ରାଜ୍ୟ ସରକାର ଚାହିଁଲେ ବି କିଛି ପରିବର୍ତ୍ତନ କରିପାରିବେ ନାହିଁ। ରାଜ୍ୟ ସରକାରଙ୍କୁ ଏହିସବୁ ଗାଇଡଲାଇନ ଅନୁସରଣ କରିବାକୁ ହେବ ।

Spread the love