ପାରାଦୀପରେ ହୋଇଛି ସର୍ବାଧିକ ବର୍ଷା

ଆଜି ସୁନ୍ଦରବନରେ ‘ଅମ୍ଫାନ୍’ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଓଡ଼ିଶାରେ ଗତକାଲି ଠାରୁ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହିତ ପବନ ମଧ୍ୟ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ପାରାଦୀପରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୪୦ ମିମି ବର୍ଷା ରେକର୍ଡ ହୋଇଛି।ଅମ୍ଫାନ ଏବେ ପାରାଦୀପ ଠାରୁ ୧୮୦ କିଲୋମିଟର ଦୂରରେ ଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏଠାରେ ୧୧୦ କିମି ବେଗରେ ବହୁଛି ପବନ। ଆଗକୁ ଘଣ୍ଟା ପ୍ରତି ୧୧୦ରୁ ହଠାତ୍ ୧୪୫ କିମି ଯାଏଁ ପବନ ବଢ଼ିବା ସମ୍ଭାବନା ରହିଛି। ଏଣୁ ପାରାଦୀପ ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହେଉଛି। ଉଦୟପୁର ପାଖ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାରୁ ଲୋକେ ଡରି ଯାଇଛନ୍ତି। ସମୁଦ୍ର କୂଳରେ ଥିବା ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି ମତ୍ସ୍ୟଜୀବୀ। ଭୋଗରାଇ ଅଞ୍ଚଳରେ ବି ରାତି ୩ଟା ପରଠୁ ବର୍ଷା ଓ ପବନ ବଢୁଛି।

ଜିଲ୍ଲାରେ ମଧ୍ୟ ବର୍ଷା ଓ ପବନ ହେଉଛି। ଧାମରାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେଉଛି। ପବନ ଯୋଗୁଁ ବଡ଼ ବଡ଼ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ପବନ ଯୋଗୁଁ ଛିଡ଼ା ହୋଇଥିବା ଏକ ଭ୍ୟାନ୍‌ ଗଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏଣୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍ ଟିମ୍ ପ୍ରସ୍ତୁତ ରହିଛି।ଅମ୍ଫାନ ପ୍ରଭାବରେ ଭୁବନେଶ୍ୱରରେ ରାତି ତମାମ ପବନ ଓ ଝିପିଝିପି ବର୍ଷା ଲାଗି ରହିଥିଲା। ସକାଳୁ ବି ଏହା ଜାରି ରହିଛି।କେନ୍ଦ୍ରାପଡ଼ାରେ ପବନ ବଢ଼ୁଛି। ଏଠାରେ ଘଣ୍ଟାକୁ ୯୦ରୁ ୧୨୦ କିମି ବେଗରେ ପବନ ବହୁଛି। ତେଣୁ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।
Spread the love