ପାକିସ୍ତାନରୁ ଆସି ଭାରତରେ ଉତ୍ପାତ: ଜୟପୁରର ପ୍ରାୟ ୫ଲକ୍ଷ ହେକଟର ଜମିକୁ ନଷ୍ଟ କରିଦେଲେ ପଙ୍ଗପାଳ

ଝାନ୍ସୀ ପରେ ଏବେ ରାଜସ୍ଥାନର ଜୟପୁରରେ ପଙ୍ଗପାଳ ମାନେ କୃଷକଙ୍କ ନିଦ ହଜାଇଦେଇଥିବା ଜଣା ପଡିଛି | ପ୍ରାୟ ୫ଲକ୍ଷ ହେକଟର ଜମିରେ ପଶି ପଙ୍ଗପାଳମାନେ ଫସଲ ନଷ୍ଟ କରିଦେଇଥିବା ଖବର ଏବେ ସାମ୍ନାକୁ ଆସୁଛି | ଗତକାଲି ଝାନ୍ସୀ ଜିଲ୍ଲା ପ୍ରଶାସନ ପଙ୍ଗପାଳଙ୍କ ବିନାଶ ପାଇଁ ରାସାୟନିକ ପଦାର୍ଥ ସ୍ପ୍ରେ କରିବାର ନିଷ୍ପତି ନେଇଥିଲେ | ତେବେ ଜୟପୁରରେ ୫ଲକ୍ଷ ହେକଟର ଜମି ନଷ୍ଟ ହେବା ପରେ ଏହା କୃଷକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି | କେବଳ ରାଜସ୍ଥାନ ନୁହେଁ ପଙ୍ଗପାଳର ବିପଦ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ ସମେତ ଭାରତର ଅନ୍ୟ ଭାଗରେ ମଧ୍ୟ ଦେଖିବାକୁ ମିଳିଛି।

ସୋମବାର ଦିନ ଜୟପୁର ବାସିନ୍ଦା ଲକ୍ଷ ଲକ୍ଷ ପଙ୍ଗପାଳ ସହର ଉପର ଦେଇ ଯାଉଥିବାର ଦେଖିବାକୁ ପାଇଥିଲେ। ଗୋଲାପୀ ପଙ୍ଗପାଳର ବୃହତ ଗୋଷ୍ଠୀ ୨୦୨୦ରେ ପଶ୍ଚିମ ରାଜସ୍ଥାନର ଶ୍ରୀ ଗଙ୍ଗନଗର, ବିକାନେର ଏବଂ ବାରମର୍ ଜିଲ୍ଲାରେ ରବି ଫସଲର ସବୁଜ କ୍ଷେତକୁ ନଷ୍ଟ କରିସାରିଛନ୍ତି। ଗତ ତିନିମାସରୁ ଏହି କୀଟ ଯୋଗୁଁ ରାଜ୍ୟର କୃଷକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାକିସ୍ତାନରୁ ପଙ୍ଗପାଳ ଭାରତକୁ ପ୍ରବେଶ କରିଥିବା କୁହା ଯାଉଛି।ବିଭିନ୍ନ ଅଞ୍ଚଳରେ ଭାରତର ସ୍ୱଦେଶୀ ଡ୍ରୋନ୍ ଶିଳ୍ପ ପଙ୍ଗପାଳ ଆକ୍ରମଣରୁ ଚାଷୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ଉତ୍ତରପ୍ରଦେଶରେ ଗତ ସପ୍ତାହରେ ଝାନ୍ସୀ ଜିଲ୍ଲା ପରିସରରେ ହଠାତ୍ ପଙ୍ଗପାଳର ଗତିବିଧି ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶରେ ରବିବାର ଦିନ ମାଣ୍ଡସୌର ଜିଲ୍ଲାର ମାଲହରଗଡରେ ପଙ୍ଗପାଳର ବହୁ ସଂଖ୍ୟାରେ ଗତିବିଧି ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଦେଖି କୃଷି ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ପ୍ରେ କରି ପ୍ରାୟ ୬୦ ପ୍ରତିଶତ ପଙ୍ଗପାଳଙ୍କୁ ମାରିଥିବା ଜଣା ପଡିଛି |

Spread the love