ଜାରି ହୋଇପାରେ ଲକ୍‌ଡାଉନ ୫.୦; ଅବଧି ବଢ଼ିପାରେ ଆଉ ୨ ସପ୍ତାହ

ଦେଶରେ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଦେଶର ୧୧ଟି ମେଟ୍ରୋ ସହର ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଦେଶର ଏହ ୧୧ଟି ମେଟ୍ରୋ ସହର ହେଉଛନ୍ତି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଅହମ୍ମଦାବାଦ, କୋଲକାତା, ପୁଣେ, ଥାଣେ, ଜୟପୁର, ସୁରଟ ଏବଂ ଇନ୍ଦୋର। କାରଣ, ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି କେବଳ ଦେଶର ଏହି ୧୧ଟି ମେଟ୍ରୋ ସହରରୁ।
ତେଣୁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ୪.୦ ଲକ୍‌ଡାଉନର ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ସରକାର ଏହାକୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇ ଦେବାକୁ ଚିନ୍ତା କରୁଥିବା ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଦେଶର ପ୍ରମୁଖ ଗଣମାଧ୍ୟମମାନଙ୍କରେ ଖବର ପ୍ରକାଶ ପାଇଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ସଂପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୫ ଲକ୍ଷ ଅତିକ୍ରମ କରିଛି। ତେବେ, ଗତ ମାତ୍ର ୧୪ ଦିନ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଏବେ ୧୫୧,୭୬୭ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ସର୍ବଶେଷ ତଥ୍ୟରୁ ଜଣାପଡ଼ିଛି। ସେହିପରି ଗତ ୧୬ ଦିନ ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪,୩୩୭ରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଦେଶର ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ପ୍ରତି ଆହ୍ଵାନ ସୃଷ୍ଟି କରବା ସହ ବିଗତ ଦୁଇ ମାସ ଧରି ଦେଶରେ ଜାରି ରହିଥିବା ଲକ୍‌ଡାଉନର ସଫଳତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏ ପରିସ୍ଥିତିରେ ଚତୁର୍ଥ ପର୍ଯ୍ୟାୟର ୪.୦ ଲକଡାଉନ କାଳରେ କେନ୍ଦ୍ର ସରକାର କେବଳ ମାତ୍ର କଣ୍ଟେଣ୍ଟମେଣ୍ଟ ଜୋନ୍‌ ଉପରେ ଅଧିକାଂଶ ପ୍ରତିବନ୍ଧକ ଲଗାଇବା ସହ ଅନ୍ୟ ସମସ୍ତ କ୍ଷେତ୍ରରେ ପ୍ରତିବନ୍ଧକକୁ କେହାଳ କରି ଦେଇଥିଲେ। ତେଣୁ, ୫.୦ ଲକ୍‌ଡାଉନ କାଳରେ କେନ୍ଦ୍ର ସରକାର ଦେଶର ଏହ ୧୧ଟି ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଅହମ୍ମଦାବାଦ, କୋଲକାତା, ପୁଣେ, ଥାଣେ, ଜୟପୁର, ସୁରଟ ଏବଂ ଇନ୍ଦୋର ପାଇଁ ନୂତନ କଟକଣା ଜାରି କରିବାର ସମ୍ଭାବନା ରହିଥିବା ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

Spread the love