ନାଲକୋରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରାୟତ ଉଦ୍ୟୋଗ ତଥା ନବରତ୍ନ କମ୍ପାନୀ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ଏକ ଦାୟୀତ୍ୱସମ୍ପନ୍ନ କର୍ପୋରେଟ୍ ହିସାବରେ ନାଲକୋ ପ୍ରାରମ୍ଭରୁ ତାର ପରିବେଶ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରି ଆସିଛି । ଆଜିର ଏହି ବିଶ୍ୱ ପରିବେଶ ଦିବସ ଅବସରରେ ନାଲକୋର ବିଭିନ୍ନ ପ୍ରକଳ୍ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରଠାରେ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଆଜି ନାଲକୋ ଆବାସିକ କଲୋନୀଠାରେ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କମ୍ପାନୀର ସମସ୍ତ ନିର୍ଦ୍ଦେଶକ, ବିଭିନ୍ନ ସଂଘ ଏବଂ ଶ୍ରମିକ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ୍-୧୯ ପାଇଁ ସାମାଜିକ ଦୂରତା ବଜାୟ ରଖି ଯୋଗ ଦେଇଥିଲେ ।

ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର, ପରିବେଶ ପ୍ରତି ଯତ୍ନ ଏବଂ ସୁରକ୍ଷା କ୍ଷେତ୍ରରେ ନାଲକୋର କ୍ରମାଗତ ପ୍ରୟାସ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଏକ ସୁନ୍ଦର ଏବଂ ସୁସ୍ଥ ଭବିଷ୍ୟତ ପାଇଁ, ବ୍ୟକ୍ତିଗତ ତଥା ସାମୁହିକ ସ୍ତରରେ ଆମ୍ଭେମାନେ ସର୍ବଦା ପରିବେଶର ସୁରକ୍ଷା ଏବଂ ଯତ୍ନ ନେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହା ଆମର ଆଗାମୀ ପିଢ଼ି ପାଇଁ ଶ୍ରେଷ୍ଠ ଉପହାର ହେବ ବୋଲି ସେ ମଧ୍ୟ କହିଥିଲେ ।

ଅପରାହ୍ଣରେ ଅନ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ, ଶ୍ରୀମତୀ ସସ୍ମିତା ପାତ୍ରଙ୍କ ନେତୃତ୍ୱରେ ନାଲକୋ ମହିଳା ସମିତି ଦ୍ୱାରା ଉତ୍ସାହର ସହିତ ବିଭିନ୍ନ ପ୍ରକାରର ଫଳ ଏବଂ ଔଷଧୀୟ ବୃକ୍ଷ ରୋପଣ କରା ଯାଇଥିଲା । ଏଥିରେ ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପରିବେଶର ଯତ୍ନ ନେବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ବୃକ୍ଷ ରୋପଣ ମଧ୍ୟ କରିଥିଲେ ।

Spread the love