ମାଓନେତା ଡା. ଗଣନାଥ ପାତ୍ରଙ୍କ ପରଲୋକ

ବିଶିଷ୍ଟ ମାଓନେତା ତଥା ଚାଷୀମୂଲିଆ ଆଦିବାସୀ ସଂଘର ଉପଦେଷ୍ଟା ଡା. ଗଣନାଥ ପାତ୍ରଙ୍କର ଆଜି ସାରନଗରୀ ବାଲିଯୋଡି ଅବିନାଶପାଲିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଗତ ୨୦୧୨ରେ କଟକ ଚୌଦୁଆର ଜେଲ୍‌ରୁ ମୁକୁଳିବା ପରେ ରାଉରକେଲା ସାରନଗରୀ ତଳବାଲିଯୋଡିସ୍ଥିତ ବାସଭବନରେ ରହୁଥିଲେ। ଗତ ଦୁଇବର୍ଷହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ତାଙ୍କ ବାସଭବନରେ ବହୁ ବୁଦ୍ଧିଜୀବୀ ଓ ପ୍ରଶଂସକ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଲକ୍‌ଡାଉନ୍‌ କଟକଣା ପାଇଁ ତାଙ୍କର ଏକମାତ୍ର ପୁଅ ବାହାରେ ଥିବାରୁ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇପାରି ନଥିଲେ। ପୁଅ ବଦଳରେ ତାଙ୍କ ଝିଅ ରୋଜାଲିନ୍‌ ପାତ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାତ୍ର ବିଗତ ଦିନରେ କେବଳ ମାଓବାଦୀ ନେତା ନଥିଲେ, ଆଦିବାସୀ ଓ ଚାଷୀ ମୂଲିଆଙ୍କ ହକ୍‌ ପାଇଁ ଲଢ଼େଇ କରିଥିଲେ। ଏଥିପାଇଁ ତାଙ୍କୁ ବହୁବାର ଜେଲ୍‌ ଯିବାକୁ ପଡିଥିଲା।

Spread the love