ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ, ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ଓଡିଶାକୁ ମୌସୁମୀର ଆଗମନ ନେଇ ଅନୁକୂଳ ପରିବେଶ ସୃଷ୍ଟି କରିବ । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୮ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ଅଧିକ ସକ୍ରିୟ ହେବା ସହିତ ଜୁନ୍ ୧୦ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ।ଲଘୁଚାପ ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାଛଡ଼ା ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ପରବର୍ତ୍ତୀ ଦୁଇ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବ।ରବିବାର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ ମାଲକାନଗିରି, ଅନୁଗୋଳ, ଢ଼େଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ଜଗତସିଂହପୁର, ନୟାଗଡ଼ ଆଦି ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ । ପରବର୍ତ୍ତୀ ତିନିଦିନ ବର୍ଷା ଲାଗିରହିବ । ବି​ଶେଷ କରି ୮ରୁ ୧୦ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Spread the love