ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଲା: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର : ବର୍ଷିୟାନ୍ ଜନନେତା, ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ୍ ଚରଣ ସେଠୀଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଲା । ଓଡ଼ିଶା ବିଧାନସଭାକୁ ସେ ଭଣ୍ଡାରିପୋଖରୀ ଆସନରୁ ୨ ଥର ଓ ଭଦ୍ରକ ଲୋକସଭା ଆସନରୁ ସଂସଦକୁ ୮ ଥର ନିର୍ବାଚିତ ହୋଇଥିଲେ । ଏଥିସହ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ । ଭାରତୀୟ ଜାତୀୟ କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସେଠୀ ଲଗାତର ଭାବେ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ଭାବେ ୧୯୭୧ ଓ ୧୯୮ଠ ମସିହାରେ ସଂସଦକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳ ଏବଂ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ୬ ଥର ସଂସଦକୁ ନିର୍ବାଚିତ ହେବାରେ ଜଣେ ବିରଳ ବ୍ୟକ୍ତିତ୍ୱ । ଏକ ଲମ୍ବା
ସମୟ ଧରି ଓଡ଼ିଶାର ଅଣକଂଗ୍ରେସ ରାଜନୀତିରେ ଜଣେ ଲୋକପ୍ରିୟ ନେତା ହିସାବରେ ତାଙ୍କୁ ଆଜି ଆମେ ସ୍ମରଣ କରୁଛୁ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ତାଙ୍କ ମନ୍ତ୍ରିପରିଷଦରେ ଗୁରୁତ୍ୱପୂର୍ଣ୍ଣ ଜଳ ସମ୍ପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ ଯୋଗଦାନକୁ ଓଡ଼ିଶାବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରକାଶ
କରିଛନ୍ତି । ସ୍ୱର୍ଗତ ଅର୍ଜୁନ୍ ସେଠୀଙ୍କ ବିୟୋଗରେ ଶ୍ରୀ ଦାସବର୍ମା ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ଏବଂ ଶୁଭେଚ୍ଛୁ ଓ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି ।

Spread the love