ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ଲକ୍ଷ୍ୟ

ଭୁବନେଶ୍ୱର, ୮/୬- ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର  ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି ।

ଏମ୍‍ଜିଏନ୍‍ଆରଇଜିଏସ୍‍ ଅଗ୍ରଗତି ସଂକ୍ରାନ୍ତରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷାରୁ ଏହି
ସୂଚନା ମିଳିଛି । କରୋନା ସମୟରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏହା
ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁପାଇଁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟର
୮୧ ପ୍ରତିଶତ ଅର୍ଥାତ ଦୈନିକ ୧୬ଲକ୍ଷ ୧୪ହଜାର ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରିଥିବା ଜଣାଯାଇଛି ।  ରାଜ୍ୟର ଚାରି ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାର ୨୦ଟି ବ୍ଲକ ଉପରେ ରାଜ୍ୟ ସରକାର  ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହିସବୁ ଜିଲ୍ଲାରେ ଶ୍ରମିକମାନଙ୍କୁ ଅତରିକ୍ତ ଭାବେ ୯୧ଟଙ୍କା ଅଧିକ ମଜୁରୀ ପ୍ରଦାନ  କରାଯାଉଛି । ଫଳରେ ଦୈନିକ ମୂଳ ମଜୁରୀ ୨୦୭ ଟଙ୍କା ସହିତ ୯୧ ଟଙ୍କା ମିଶାଇ ସେମାନେ ୨୯୮ଟଙ୍କା କରି  ପାଉଛନ୍ତି । ଏହି ଚାରିଟି ଜିଲ୍ଲାରେ ଚଳିତମାସ ୪ ତାରିଖ ସୁଦ୍ଧା ଏକ ଲକ୍ଷ ୭୮ହଜାର ଶ୍ରମିକ ନିୟୋଜିତ  ହୋଇଥିବାବେଳେ ୨୧ଲକ୍ଷ ୯୪ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛି । ଏମ୍‍ଜିଏନ୍‍ଆରଇଜିଏସ୍‍ ଯୋଜନାରେ ରାଜ୍ୟରେ ଏକ ଲକ୍ଷ ପୋଖରୀ ଖୋଳିବାପାଇଁ ଲକ୍ଷ୍ୟ ରଖାଯାଇଛି ।

ଏଥି ସହିତ ଉଦ୍ୟାନ ବିଭାଗ ମାଧ୍ୟମରେ ୨୩,୧୩୪ ହେକ୍ଟର  ଜମିରେ ବୃକ୍ଷରୋପଣ, ୮୦୦୦ ବିଦ୍ୟାଳୟରେ ବୃକ୍ଷରୋପଣ, ୧.୭୫ କୂପ ଖନନ ସହିତ ୨୦୪୯ଟି ଅଙ୍ଗନବାଡି  କୋଠା ନିର୍ମାଣ କରାଯିବ । ଏହିସବୁ କାର୍ଯ୍ୟ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ଏମ୍‍ଜିଏନ୍‍ଆରଇଜିଏସ୍‍ରେ ୬୮୯କୋଟି  ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟକୁ ୧୧୩୯କୋଟି, ରାଜ୍ୟ ଅନୁସୂଚିତ ଜାତି ଓ  ଜନଜାତି ବିକାଶ ବିଭାଗକୁ ୧୪୬କୋଟି ୨୬ଲକ୍ଷ, ଜଳସମ୍ପଦ ବିଭାଗକୁ ୧୦୨କୋଟି ୯୪ଲକ୍ଷ ଟଙ୍କା ପ୍ରଦାନ  କରାଯାଇଥିବାବେଳେ ରେଶମ ଚାଷ ପାଇଁ ୨୬କୋଟି ୯୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଇତି ମଧ୍ୟରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟରେ ସର୍ବାଧିକ ୫୨,୪୬୫ ଜଣ ଶ୍ରମିକ ନିୟୋଜିତ ହୋଇଥିବାବେଳେ  ଜଙ୍ଗଲ ଓ ପରିବେଶ ବିଭାଗରେ ୨୬,୫୫୦ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୮,୮୩୯ ଜଣ ଶ୍ରମିକ  ନିୟୋଜିତ ହୋଇଛନ୍ତି । ଓଡିଶାକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ ତୁରନ୍ତ ଶ୍ରମିକ କାର୍ଡ ଯୋଗାଇ ଦେବାପାଇଁ ଜିଲ୍ଲା

ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଗ୍ରାମରେ ଅତି କମ୍‍ରେ ଦୁଇଟି ଗୋଷ୍ଠି କାର୍ଯ୍ୟ କରିବାପାଇଁ କୁହାଯାଇଛି ।
ଶ୍ରମିକମାନେ ଯେଭଳି କାର୍ଯ୍ୟପାଇଁ ଆଗେଇ ଆସିବେ ସେଥିପାଇଁ ବିଭିନ୍ନ ଶ୍ରମିକ ସଂଘ, ବେସରକାରୀ ସଂସ୍ଥା ଓ  ଏସ୍‍ଏଚ୍‍ଜିମାନଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ  ଅଧିକରୁ ଅଧିକ ଶ୍ରମିକ ନିୟୋଜିତ ପାଇଁ କୁହାଯାଇଥିବାବେଳେ କନ୍ଦେୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅତିରିକ୍ତ ୯୧ଟଙ୍କା ଦେଇ ଶ୍ରମିକଙ୍କୁ ମୋଟ୍‍ ୨୯୮ଟଙ୍କା ମଜୁରୀ ଦେବାପାଇଁ କୁହାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ.ସିଂହ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର  ପାଟିଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Spread the love