ସ୍ୱାଧୀନତା ପରେ ମୋଦିଙ୍କ ପରି ଓଡିଶାର ବିକାଶ ଦାୟିତ୍ୱ କେହି ନେଇନଥିଲେ – ଧର୍ମେନ୍ଦ୍ର ପ୍ରଧାନ

ବିଗତ ୬ ବର୍ଷରେ ଓଡିଶାକୁ ଅଧିକ ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କୃତଜ୍ଞତା
ବାତ୍ୟା ମୁକାବଲା ପାଇଁ ଓଡିଶାକୁ ଛୁଟିଦିନରେ ୫୦୦ କୋଟିର ସହାୟତା ଦେଇଛନ୍ତି ମୋଦି ସରକାର
ପୂର୍ବ ଭାରତକୁ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସଂକଳ୍ପବଦ୍ଧ
ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ସବୁଠୁ ବଡ ଲାଭ ପାଇଛି ଓଡିଶା
ମାଣବସା ଗୁରୁବାର, ରାବଣ ଛାୟା ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତିକୁ ସମ୍ମାନ ଦେଇଛନ୍ତି ମୋଦି
ଚା ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ସୌର ଶକ୍ତି ନଗର କରିବାର ଦାୟିତ୍ୱ ନେଇଛନ୍ତି ମୋଦି
ଚା ପୂର୍ବ ଭାରତର ବିକାଶ ବିନା ସମଗ୍ର ଭାରତର ସନ୍ତୁଳିତ ବିକାଶ କଳ୍ପନା କରିବା ଅସମ୍ଭବ

 ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପଷ୍ଟ କ୍ରିୟାନ୍ୱୟନ କାରଣରୁ ଭାରତ ବିଶ୍ୱରେ ନୂଆ
ମାଇଲଖୁଂଟ ତିଆରି କରିଛି

 ପୃଥିବୀର ୧୫୦ ଦେଶକୁ ଭାରତ ନିଜେ ସମ୍ଭାଳିବା ସହ ଗରିବ ମାନଙ୍କ ଭିତରେ ନୂଆ ଆଶାର ସଂଚାର ଭରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ସ୍ୱାଧୀନତା ପରବର୍ତୀ ସମୟରେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବିଗତ ୬ ବର୍ଷରେ ଯେପରି ଦାୟିତ୍ୱ ନେଇଛନ୍ତି ପୂର୍ବରୁ କୌଣସି ସରକାର ଏପରି ଦାୟିତ୍ୱ ନେଇନଥିଲେ  ବୋଲି ସୋମବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ  ଭର୍ଚୁଆଲ ରାଲି-ଓଡିଶା ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନେକ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ଦାୟିତ୍ୱ ନେଇଛନ୍ତି । ମାତ୍ର ମୋଦି  ସରକାର ବିଗତ ୬ ବର୍ଷରେ ଓଡିଶାର ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଗତ ୬ ବର୍ଷରେ ମୋଦି  ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂଆ ନୂଆ ଯୋଜନା ମାଧ୍ୟମରେ ସ୍ପଷ୍ଟକ୍ରିୟାନ୍ୱୟନ କରି ପୂର୍ବ ଭାରତକୁ ଅନ୍ୟ  ଅଂଚଳକୁ ସମକକ୍ଷ କରିବାକୁ କଟିବଦ୍ଧ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ଆବାସ, ଉଜ୍ଜଳା ଓ ଜନଧନ ପରି ଯୋଜନାରେ ଓଡିଶା
ସବୁଠୁ ବଡ ଅଂଶ ଲାଭ ପାଇଛି । ଉପକୂଳ ଜାତୀୟ ରାଜପଥ, ଶିଳ୍ପାୟନ, କଳିଙ୍ଗ ନଗରକୁ ଷ୍ଟିଲ୍ ହବରେ ପରିଣତ
କରିବା, ପାରାଦୀପ ରିଫାଇନାରୀର କାମ ମୋଦି ସରକାରରେ ହୋଇଛି । ଏତବ୍ୟତିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ନବକଳେବର ସମୟରେ ପ୍ରଧାନମନ୍ତ୍ରୀ ମୋଦି ୫୦ କୋଟି ଟଙ୍କା ଦେଇଥିଲେ । ଲେଖକ ହଳଦର ନାଗଙ୍କ ଭଳି  ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡିଆ ଜାତିର ସମ୍ମାନ ବଢାଇଥିଲେ । ମାଣବସା ଗୁରୁବାର, ରାବଣ ଛାୟା ଓ ଛଉ ନୃତ୍ୟକୁ ମାନ୍ୟତା ଦେଇ ଓଡିଶା ସଂସ୍କୃତି ଓ ପରମ୍ପରାର ସମ୍ମାନ ବଢାଇଥିଲେ, କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ  ସୌର ଶକ୍ତି ନଗର କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଅମ୍ଫନ ବାତ୍ୟାର ଅନୁଧ୍ୟାନ ଓ ସମୀକ୍ଷା କରିବା ପାଇଁ ମେ ୨୨ ତାରିଖରେ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ  ଯାଇଥିଲେ । ଦୁଇ ରାଜ୍ୟରେ ବିଜେପି ସରକାର ନଥାଇ ମଧ୍ୟ ଗରିବଙ୍କ କଥା ଚିନ୍ତା କରି ସବକା ସାଥ୍‌, ସବକା ବିକାଶ  ଓ ସବକା ବିଶ୍ୱାସ ମନ୍ତ୍ରରେ ଏହି ଦୁଇଟି ରାଜ୍ୟକୁ ଗସ୍ତ କରି ପଶ୍ଚିମବଙ୍ଗ ପାଇଁ ତତ୍କାଳୀନ ୧୦୦୦ କୋଟି ଏବଂ ଓଡିଶା  ପାଇଁ ୫୦୦ କୋଟି ଟଙ୍କା ଘୋଷଣା କଲେ । ଏହାସହ ଗସ୍ତର ଦିନକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛୁଟି ଦିନରେ  ରାଜ୍ୟକୁ ସଙ୍ଗେସଙ୍ଗେ ୫୦୦ କୋଟି ଟଙ୍କା ପଠାଇଦେଲେ ।

୨୦୧୪ ପୂର୍ବରୁ ଦିଲ୍ଲୀ ସରକାରରେ ଶାସନ ଦାୟିତ୍ୱରେ ଥିବା ସରକାର ଯଦି ପୂର୍ବ ଭାରତକୁ ଗୁରୁତ୍ୱ ଦେଇଥାନ୍ତେ  ତେବେ ଏଭଳି ଦିନ ଦେଖାଯାଇନଥାନ୍ତା । ସ୍ୱାଧୀନତା ପରେ ପଶ୍ଚିମ ଓ ଦକ୍ଷିଣ ଭାରତ ପରି ପୂର୍ବ ଭାରତ ବିକଶିତ  ହୋଇନାହିଁ । ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସମଗ୍ର ଭାରତର ସନ୍ତୁଳିତ ବିକାଶ କଳ୍ପନା କରିବା ଅସମ୍ଭବ ବୋଲି ଏକ ଭାଷଣରେ ମୋଦି କହିଥିଲେ । ନରେନ୍ଦ୍ର ମୋଦିଙ୍କ ଏହା କେବଳ ଭାଷଣ ନଥିଲା  ବାସ୍ତବରେ ମଧ୍ୟ ଏପରି କରି ଦେଖାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୫ ମସିହାରେ ତତ୍କାଳାନ ପ୍ରଧାନମନ୍ତ୍ରୀ ମୋନମୋହନ ସିଂହ ଦାୟିତ୍ୱରେ ଥିବାବେଳେ  ସେ ଓଡିଶାର ହକ୍ ମାଗିବା ପାଇଁ ତାଙ୍କ ପାଖକୁ ଯାଇଥିଲେ । ମାତ୍ର ସେ ଟଙ୍କା କଣ ଗଛରେ ଫଳେ ବୋଲି କହି  କଂଗ୍ରେସର ବୈମାତୃକ ମନୋଭାବପୋଷଣ କରିଥିଲେ । ପରିବର୍ତିତ ବିଶ୍ୱରେ ଭାରତବର୍ଷ ଏକ ନୂଆ ଆତ୍ମବିଶ୍ୱାସ ନେଇ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପଷ୍ଟ କ୍ରିୟାନ୍ୱୟନ କାରଣରୁ ଦେଶ ଆଜି ପୃଥିବୀରେ ନୂଆ ମାଇଲଖୁଂଟ ତିଆରି କରିଛି ।  ପୃଥିବୀର ୧୫୦ ଦେଶକୁ ଭାରତ ନିଜେ ସମ୍ଭାଳିବା ସହ ଗରିବ ମାନଙ୍କ ଭିତରେ ନୂଆ ଆଶାର ସଂଚାର ଭରିଛି ବୋଲି  ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Spread the love